Unknown

 

 

 

 

 

 

 

 

 

 

 

ଜିଅଁନ୍ତା ଦିଅ

କିଶୋର ଚନ୍ଦ୍ର ସାହୁ

 

ଉତ୍ସର୍ଗ

 

“ଜଗତର ସମସ୍ତ ଶାରୀରିକ ଅକ୍ଷମ, ବିକଳାଙ୍ଗ ଓ ମାନସିକ ଅନଗ୍ରସର ପିଲାମାନେ ସାଧାରଣ ପିଲାମାନଙ୍କଠାରୁ ନ୍ୟୁନ ଭାବି ହତାଦର କରିବା ମାନବିକତା ନୁହେଁ । କାର୍ପଣ୍ୟ ନକରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ଚିକିତ୍ସା ଓ ସହାୟତା ଯୋଗାଇ ଦେଲେ ସେମାନେ ଦୁନିଆରେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବେ । ଦୟାନୁହେଁ, ଆତ୍ମୀୟତା ଲୋଡ଼ା । ଅବହେଳିତ ସେହି ଅଗଣିତ ପିଲାମାନଙ୍କ ହାତରେ ଜିଅଁନ୍ତା ଦିଅଁ ଅର୍ପଣ କଲି ।

 

ପୁସ୍ତକଟି ବିକ୍ରୟଲବ୍ଧ ଅର୍ଥ କେବଳ ସେହି ପିଲାମାନଙ୍କ ଉନ୍ନତିକଳ୍ପେ ବିନିଯୋଗ କରାଯିବ’’ ।

 

କିଶୋର ଚନ୍ଦ୍ର ସାହୁ

☆☆☆

 

ସୂଚୀପତ୍ର

 

୧.

ନେଉଳ ପୁଅ ରାଜାହେଲା

୨.

ନିର୍ବୋଧ

୩.

ସ୍ରଷ୍ଟା

୪.

ଅସୁରୁଣୀ ବୁଢ଼ୀ ମରଣ କଥା

୫.

ନଅ, ଛଅ, ତେର

୬.

ନାମକରଣ

୭.

ଜିଅଁନ୍ତା ଦିଅଁ

☆☆☆

 

ନେଉଳ ପୁଅ ରାଜା ହେଲା

 

ଜଣେ ରାଜାଙ୍କର ତିନି ରାଣୀ ଥିଲେ । ସନ୍ତାନସନ୍ତତି ନ ଥ‌ିବାରୁ ଦୁଃଖରେ ଦିନ ବିତାଉଥିଲେ । ଅଚାନକ ଦିନେ ଜଣେ ମୁନୀ ଉଆସରେ ପହଁଞ୍ଚିଲେ । ରାଜା ଓ ରାଣୀ ଦିନ ରାତି ମୁନୀଙ୍କ ସେବାରେ ଲାଗି ରହିଲେ । ସେମାନଙ୍କ ସେବାରେ ମୁନୀ ଅତ୍ୟନ୍ତ ପ୍ରୀତ ଥିଲେ ।

 

ରାଜା ଦିନେ ମୁନୀଙ୍କୁ ନିଜ ଦୁଃଖ ଜଣାଇଲେ । ମୁନୀ ପ୍ରସନ୍ନ ହୋଇ ରଜାଙ୍କୁ ଏକ ମନ୍ତୁରା ଗୋଡ଼ି ଦେଇ କହିଲେ, ବତ୍ସ, ତୁ କାଲି ବଡ଼ି ଭୋରୁ ତୋ’ ପ୍ରମୋଦ ଉଦ୍ୟାନରେ ଥ‌ିବା ଆମ୍ବ ଗଛକୁ ପକେଇଲେ ପାଚିଲା ଆମ୍ବଟିଏ ପଡ଼ିବ । ତାହା ତିନି ରାଣୀ ସମାନ ଭାବରେ ବାଣ୍ଟି ଖାଇଲେ ତିନିହେଁ ସନ୍ତାନବତୀ ହେବେ । ରଜା ଗୋଡ଼ିଟିକୁ ସାଦରେ ଗ୍ରହଣ କଲେ ଓ ମୁନୀଙ୍କ କହିବାମତେ ଗୋଡ଼ିଟିକୁ ଆମ୍ବ ଗଛକୁ ପକାଇଲାମାତ୍ରେ ପାଚିଲା ଆମ୍ବଟିଏ ପଡ଼ିଲା । ରାଜା ଖୁସୀରେ ଆମ୍ବଟିକୁ ପାଟରାଣୀଙ୍କୁ ଦେଲେ । ପାଟ ରାଣୀ ଓ ମଝିଆ ରାଣୀ ଆମ୍ବ ଖାଇ ଟାକୁଆଟିକୁ ନଳାକୁ ପକେଇ ଦେଲେ । ନେଉଳଟାଏ କାହୁଁ ଆସି ତାକୁ ଶୁଙ୍ଘି ଦେଲା । ସାନ ରାଣୀଙ୍କ ପାଇଁ ଆମ୍ବ ନ ଥିଲା । ସନ୍ତାନ ଆଶାରେ ସେ ଟାକୁଆଟିକୁ ଗୋଟେଇ ଆଣି ଚୁଚୁମିଲେ ।

 

ମୁନୀଙ୍କ ବାଣୀ ଅନ୍ୟଥା ନୋହିଲା, ନିର୍ଦ୍ଦିଷ୍ଟ ସମୟରେ ବଡ଼ ଦୁଇ ରାଣୀ ପୁତ୍ର ସନ୍ତାନ ପ୍ରସବ କଲେ ଓ ସାନ ରାଣୀ ନେଉଳ ପିଲା ଜନ୍ମ କଲେ । ରଜା ଖୁସୀରେ ପୁଅ ଦୁହିଁଙ୍କର ନାଁ ରଖିଲେ ନଳ ଓ ନୀଳ । ସାନ ରାଣୀଙ୍କୁ ନଅରରୁ ତଡ଼ି ଦେଲେ । ସାନ ରାଣୀ ନଅର ବାହାରେ କୁଡ଼ିଆଟିଏ କରି ନେଉଳ ପୁଅକୁ ଧରି ରହିଲେ । ସାନ ରାଣୀ ଶ୍ରଦ୍ଧାରେ ପୁଅର ନାଁ ରଖିଲେ ଅସମ୍ଭବ ।

 

ବଡ଼ ଦୁଇରାଣୀ ଦୁଷ୍ଟ, ଅହଂକାରୀ, ଈର୍ଷାପରାୟଣା ଓ ଲୋଭୀ ହୋଇଥ‌ିବାରୁ ସେମାନଙ୍କର ପୁଅମାନେ ସେହି ସବୁ ଗୁଣ ନେଇ ଜନ୍ମ ପାଇଥିଲେ । ସାନ ରାଣୀ ଈଶ୍ଵର ବିଶ୍ଵାସୀ, ଦୟାଳୁ ହୋଇ ଥ‌ିବାରୁ ପୁଅ ମଧ୍ୟ ମା’ ଗୁଣ ନେଇ ଜନ୍ମ ହୋଇଥିଲା । ଅସମ୍ଭବ ନେଉଳ ରୂପ ପାଇଥିଲେ ମଧ୍ୟ ମଣିଷଙ୍କ ପରି ସବୁ କରି ପାରୁଥିଲା ।

 

ନଳ ଓ ନୀଳ ବଡ଼ ହେବାରୁ ସ୍କୁଲ ଗଲେ । ସେମାନଙ୍କୁ ଦେଖି ଅସମ୍ଭବ ପାଠ ପଢ଼ିବା ପାଇଁ ମା’ ସହିତ ଜିଗର କଲା । ମା’ କହିଲେ, ଧନରେ, ସେମାନେ ପାଠ ପଢ଼ିଲେ ଭବିଷ୍ୟତରେ ରାଜା ହେବେ । ହେଲେ ଭଗବାନ ତ ତତେ ନେଉଳ କରି ମୋ କୋଳରେ ଜନ୍ମ ଦେଇଛନ୍ତି, ତୁ କି ପାଠ ପଢ଼ିବୁ ? ତୋ’ ବଡ଼ ଭାଇମାନେ ବାଟରେ ଘାଟରେ ଓ ସ୍କୁଲରେ ତୋତେ ଏକୁଟିଆ ପାଇ ଥଟ୍ଟା କରିବେ । ମାରଧର, ହଇରାଣ, ହରକତ କରିବେ । ତେଣୁ ତୁ’ ସ୍କୁଲକୁ ଯିବା ଉଚିତ୍‌ ନୁହେଁ । ମୁଁ ତତେ ପୁରାଣ, ଶାସ୍ତ୍ର, ଗୀତା, ଭାଗବତ ଘରେ ଶୁଣାଇବି । ଅସମ୍ଭବ କିନ୍ତୁ ମା’ କଥା ନ ଶୁଣି ସ୍କୁଇ ଯିବାକୁ ଜିଦ୍‌ କଲା । ମା’ ବାଧ୍ୟ ହୋଇ ସ୍କୁଲକୁ ପଠାଇଲେ ।

 

ନଳ, ନୀଳ ଓ ସେମାନଙ୍କ ସାଙ୍ଗମାନେ ତାକୁ ଥଟ୍ଟା ପରିହାସ, ମାରଧର କଲେ ଓ ସ୍କୁଲରେ ବସେଇ ଦେଲେନି । କିନ୍ତୁ ସେ ପ୍ରତିଦିନ ପାଠ ପଢ଼ା ଶେଷ ହେବାଯାଏ ବାହାରେ ବସି ରହି ମନ ଦେଇ ସବୁ ଶୁଣେ ଓ ନିୟମିତ ସ୍କୁଲକୁ ଯାଏ । ନଳ, ନୀଳଙ୍କ ଦେଇ ପାଠ ହୁଏନା । ସଦାବେଳେ ବଦମାସି କରନ୍ତି । ଅସମ୍ଭବ ଗୁରୁଙ୍କ ପ୍ରଶ୍ନର ସଠିକ୍‌ ଉତ୍ତର ଦିଏ । ତେଣୁ ଗୁରୁମାନେ ତାକୁ ଭାରି ଭଲ ପାଉଥିଲେ । ଅସମ୍ଭବ ପରୀକ୍ଷାରେ ପ୍ରଥମ ହୁଏ ଓ ନଳ, ନୀଳ ସବୁଥର ପରୀକ୍ଷାରେ ଫେଲ୍‌ ହୁଅନ୍ତି । ପାଠ ପଢ଼ା ଶେଷ ହେଲା ।

 

ଅସମ୍ଭବ ମା’କୁ କହିଲା, ପାଠ ପଢ଼ି ଘରେ ବସିଲେ କି ଲାଭ ? ପାଠର ସଦ୍‌ବ୍ୟବହାର କରି ଯଶ, ଅର୍ଥ କମେଇ ନ ପାରିଲେ ପାଠ ପଢ଼ା ବୃଥା । ଆମେ ଗରିବ । ଅର୍ଥ ଆମର ନିତାନ୍ତ ଦରକାର । ତେଣୁ ମୁଁ ବିଦେଶ ଯାଇ ବ୍ୟବସାୟ ବଣିଜ କରି ଅର୍ଥ ଉପାର୍ଜନ କରିବି । ମା’ କହିଲେ, ନା ପୁଅ, ତୁ ସେ କଥା ତୁଣ୍ଡରେ ଧରନା । ମା’ ପୁଅ ଦୁହେଁ କର୍ମକୁ ଆଦରି ଦୁଃଖ କଷ୍ଟରେ ପଡ଼ି ରହିବା ପଛେ ତୁ’ କୁଆଡ଼େ ଯିବାକୁ ମନ ବଳାନା ।

 

ଅସମ୍ଭବ କହିଲା, ତୁ’ ତୁଛାଟାରେ ବ୍ୟସ୍ତ ହେଉଛୁ ସିନା ମା’ ମତେ କିଏ କାହିଁକି ମାରଧର କରିବ । ମୁଁ ସିନା କାହାର ଅନିଷ୍ଟ କଲେ କେହି ମୋର ଅନିଷ୍ଟ ପାଞ୍ଚିବ । ତୁଛାଟାରେ କେହି କ’ଣ କାହାର ଅନିଷ୍ଟ କରେ । ‘‘ଥିଲେ ଥାଉ ପଛେ ବଳ ହଜାର, ବୁଦ୍ଧି ନ ଥିଲେ ସବୁ ଅସାର’’ । ମୋର ବଳ ନ ଥିଲେ କ’ଣ ହେଲା, ବୁଦ୍ଧି ଅଛି । ମୋ ପାଇଁ ଚିନ୍ତା କରିବା ଅନୁଚିତ୍‌ । କାଲି ସକାଳୁ ମୁଁ ବିଦେଶ ଯିବି । ଆମ ଘରେ ଯେତେ ଚାଉଳ ଅଛି ସବୁତକ ଆଜି ରାତିରେ ରାନ୍ଧି ଦିଏ ଯେ କାଲି ମୁଁ ସେ ସବୁ ଶଗଡ଼ରେ ଲଦି ନେଇଯିବି । ମା’ କହିଲେ, ଆରେ ବାପ, ଏତେଗୁଡ଼ାଏ ଭାତ ସାଙ୍ଗରେ ନେଲେ ପଚି ସଢ଼ି ଯିବନି ? ଅସମ୍ଭବ କହିଲା, ମା’ ଭାତ ଯେତିକି ଯେତିକି ସଢ଼ୁଥ‌ିବ ତାର ମୂଲ୍ୟ ମଧ୍ୟ ସେତିକି ସେତିକି ବଢ଼ୁଥ‌ିବ । ମା’ କହିଲେ, ବାପରେ, ମୁଁ ତ ତୋ’ କଥା କିଛି ବୁଝିପାରୁ ନାହିଁ ? ଅସମ୍ଭବ କହିଲା, ମା’ ତୋର ବୁଝିବା ଦରକାର ନାହିଁ ? ମୁଁ ଫେରିଲେ ସବୁ କହିବି । ତୁ’ କେବଳ ଯେତେ ପାରୁ ସେତେ ଭାତ ରାନ୍ଧି ଦିଏ ।

 

ଅସମ୍ଭବ ସକାଳୁ ମହାପ୍ରସାଦ କୁଡ଼ୁଆଏ ଆଣି ଭାତରେ ମିଶେଇ ଶଗଡ଼ରେ ଲଦି ବିଦେଶ ବାହାରିଗଲା । ଅନେକ ଗାଁ ଗଣ୍ଡା, ନଈ ନାଳ ପାରି ହୋଇ ଏକ ରାଜ୍ୟରେ ପହଞ୍ଚିଲା । ସେ ରାଜ୍ୟର ଅଧିବାସୀମାନେ ସମସ୍ତେ ହିନ୍ଦୁ । ସେମାନେ ଜଗନ୍ନାଥ ଓ ମହାପ୍ରସାଦ ସମ୍ବନ୍ଧରେ ଶୁଣିଥିଲେ, ଜାଣିଥିଲେ ମଧ୍ୟ ଜଗନ୍ନାଙ୍କୁ କେବେ ଦେଖୁ ନ ଥିଲେ କିମ୍ବା ମହାପ୍ରସାଦ କେବେ ଖାଇ ନ ଥିଲେ । ଅସମ୍ଭବ ସମସ୍ତଙ୍କ ଘରେ ମହାପ୍ରସାଦ ଦେଇ ସନ୍ଧ୍ୟାରେ ଜଗନ୍ନାଥଙ୍କ ମହିମା ଲୋକମାନଙ୍କୁ ଶୁଣେଇଲା । ଲୋକମାନେ ଅସମ୍ଭବକୁ ଖୁବ୍‌ ଆଦର କଲେ । କିଛି ଦିନ ପରେ ଅସମ୍ଭବ ଘରକୁ ବାହାରିଲା । ଲୋକମାନେ ଟଙ୍କା, ସୁନା, ରୁପା, ମଣିମାଣିକ ଉପହାରମାନ ଦେଇ ବିଦା କଲେ । ଅସମ୍ଭବ ସେ ସବୁ ଧରି ମା’ ପାଖରେ ପହଞ୍ଚିଲା । ମା’ ଏତେ ଗୁଡ଼ିଏ ଧନରତ୍ନ ଦେଖି ଅବାକ୍‌ ହୋଇଗଲେ । ପଡ଼ାପଡ଼ୋଶୀ ଅସମ୍ଭବକୁ ବାଃ ବାଃ କଲେ ।

 

ଖବର କାନକୁ କାନ ହୋଇ ନଳ ନୀଳଙ୍କ କାନରେ ପଡ଼ିଲା । ସେମାନେ ଈର୍ଷାରେ ଜଳିଗଲେ । ସେମାନେ ଦିନେ ରାତିରେ ଅସମ୍ଭବ ଘରେ ପହଞ୍ଚି ବାଡ଼ିରେ ଅଙ୍ଗାର ଗଦା ଦେଖି ଭାବିଲେ ଅସମ୍ଭବ ବୋଧେ ଅଙ୍ଗାର ବିକ୍ରି କରି ଧନରତ୍ନ ବୋହି ଆଣୁଛି । ତେଣୁ ସେମାନେ ତା’ ପରଦିନ ଶଗଡ଼ରେ ଅଙ୍ଗାର ଲଦି ବିଦେଶ ବାହାରିଲେ । ଗାଁ ଗାଁ ବୁଲି ଲୋକମାନଙ୍କୁ ଅଙ୍ଗାର କିଣିବାକୁ ବାଧ୍ୟ କଲେ । କିନ୍ତୁ ଲୋକମାନେ ତାଙ୍କୁ ପାଗଳ ଭାବି ନିର୍ଧୂମ୍‌ ପିଟି ତଡ଼ି ଦେଲେ । ଟଙ୍କା, ସୁନା ବଦଳରେ ମାଡ଼ ଖାଇ ଘରକୁ ଫେରିଲେ ।

 

ଦିନେ ଅସମ୍ଭବ ତା’ ମା’କୁ ଜାତି ଜାତିକା ପିଠାପଣା କରିବାକୁ କହିଲା । ସେଗୁଡ଼ିକ ସେ ଶଗଡ଼ରେ ଲଦି ବିଦେଶ ଗଲା । ସେ ଯେଉଁ ରାଜ୍ୟରେ ପହଞ୍ଚିଲା ସେଠିକା ଲୋକେ ମଣ୍ଡା, ଗଇଁଠା, ଆରିସା, କାକରା ପିଠା ଆଗରୁ କେବେ ଖାଇ ନଥିଲେ । ତେଣୁ ଖୁବ୍‌ ଆନନ୍ଦରେ ପିଠା କିଣି ନେଲେ ଓ ଅସମ୍ଭବ ପ୍ରଚୁର ଟଙ୍କା ଧରି ଘରକୁ ଫେରିଲା ।

 

ବ୍ୟବସାୟର ସୂତ୍ର ଜାଣିବା ପାଇଁ ନଳ ନୀଳ ତା’ ସହିତ ମିଛି ମିଛିକା ବଂଧୁତା ସ୍ଥାପନ କଲେ ଏବଂ ମଳିମିଶି ବ୍ୟବସାୟ କରିବାକୁ ନିଷ୍ପରି କଲେ । ବିଦେଶରୁ ସୁନା, ରୁପା, ମଣିମାଣିକ ଶସ୍ତାରେ କିଣି ଆଣି ନିଜ ଦେଶରେ ଚଢ଼ା ଦରରେ ବିକ୍ରି କରି ମୁନାଫା ପାଇବା ଆଶାରେ ତିନିହେଁ ବିଦେଶ ବାହାରିଲେ । ଅସମ୍ଭବକୁ ବାଟରେ ହତ୍ୟା କରି ସବୁ ପଦାର୍ଥ ଆତ୍ମସାତ୍‌ କରିବା ଥିଲା ନଳ ନୀଳଙ୍କ ଅସଲ ଉଦ୍ଦେଶ୍ୟ । ନଳ ନୀଳ ସାଥିରେ ଖାଦ୍ୟପଦାର୍ଥ ନେଇ ଯାଇଥିଲେ । ତେଣୁ ସେମାନେ ଆରାମରେ ଖାଇଲେ । କିନ୍ତୁ ଅସମ୍ଭବକୁ କିଛି ଦେଲେ ନାହିଁ । ସେ ଖାଦ୍ୟ ମାଗିବାରୁ ତାକୁ ଧମକ ଚମକ ଦେଇ କହିଲେ, ତୋ ବ୍ୟବସ୍ଥା ତୁ କର । ଅସମ୍ଭବ ଭୋକ ଉପାସରେ ତାଙ୍କ ସହିତ ଗଲା ।

 

ବାଟରେ ସେମାନଙ୍କର ଏକ ବଣିକ ଦଳ ସହିତ ସାକ୍ଷାତ ହେଲା । ସେମାନେ ବିଦେଶରୁ ସୁନା, ରୁପା, ମଣି, ମାଣିକ ଧରି ଫେରୁଥିଲେ । ନଳ ନୀଳ ସେମାନଙ୍କ ସହିତ କପଟ ମିତ୍ରତା ସ୍ଥାପନ କଲେ ଏବଂ ରାତିରେ ଏକତ୍ର ଭୋଜନ ଓ ବିଶ୍ରାମ କଲେ । ବଣିକମାନେ ନିଘୋଡ଼ ନିଦରେ ଶୋଇଥିଲା ବେଳେ ନଳ ନୀଳ ସେମାନଙ୍କର ସମସ୍ତ ଧନରତ୍ନ ନିଜ ଶଗଡ଼ରେ ଲଦି ରାତିକାରାତି ଘର ମୁହାଁ ହେଲେ । ଅସମ୍ଭବ ଗଛରେ ବସି ସବୁ ଦେଖୁଥ‌ିଲା । ସକାଳ ହେବାରୁ ବଣିକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା ଓ ସେମାନେ ଅସମ୍ଭବକୁ ସାଥିରେ ଧରି ନଳ ନୀଳଙ୍କ ପିଛା କଲେ । ନଳ ନୀଳଙ୍କ ଠାରୁ ସମସ୍ତ ସଂପତ୍ତି ଉଦ୍ଧାର କରି ସେମାନଙ୍କୁ ନିସ୍ତୁକ ମାଡ଼ ଦେଲେ ।

 

ଅସମ୍ଭବ ଆଗରେ ସେମାନେ ଚୋରଣିଆ ହୋଇଗଲେ ଓ ଖାଇବା ପିଇବାକୁ ନ ପାଇ ବଡ଼ ହଇରାଣ ହେଲେ । ଅସମ୍ଭବ କିନ୍ତୁ ଗଛରେ ଚଢ଼ି ପାଚିଲା ଆମ୍ବ, ପଣସ ଖାଏ, ଖଜୁରୀ ରସ ପିଇ ଆନନ୍ଦରେ ଥାଏ । ନଳନୀଳ ମାଗିଲେ ସେମାନଙ୍କ ଉପରକୁ ଚୋପା ଓ ମଞ୍ଜି ଫିଙ୍ଗେ । ଦିନେ ନଳ ନୀଳ କୌଶଳ କରି ଅସମ୍ଭବକୁ ଧରି ତା’ହାତ ଗୋଡ଼ ବାନ୍ଧି ସମୁଦ୍ରରେ ଫିଙ୍ଗି ଦେଲେ ଓ ଘରକୁ ଫେରି ପ୍ରଚାର କରି ଦେଲେ ଯେ, ଅସମ୍ଭବ ଧନରତ୍ନ ଧରି ପଛରେ ଆସୁଛି ।

 

ଅସମ୍ଭବ ସମୁଦ୍ରରେ ଭାସି ଭାସି ଯାଇ ଏକ ଦ୍ଵୀପରେ ଲାଗିଲା । ସେ ଦ୍ଵୀପ ସୁନା, ରୁପା, ମୋତି, ମାଣିକରେ ଭରା । ନାଗ ଥିଲା ସେ ଦ୍ଵୀପର ରାଜା । ନାଗରଜା ଅସମ୍ଭବକୁ ଭୟକରି ସୁନା, ରୂପା, ମଣିମାଣିକ ଭରା ସାତୋଟି ବୋଇତ ଉପହାର ଦେଲା । ଅସମ୍ଭବକୁ ଦେଖି ନଳ ନୀଳଙ୍କ ମୁହଁ କଳା ପଡ଼ିଗଲା । ରାଜ୍ୟସାରା ଲୋକେ ଅସମ୍ଭବକୁ ବାହା ବାହା କଲେ ।

 

ହଠାତ୍‌ ଦିନେ ମୁନୀ ଉଆସରେ ପହଞ୍ଚି ସମସ୍ତ କଥା ଜାଣିଲେ, ମନ୍ତ୍ର ପାଣି ଛିଞ୍ଚି ଅସମ୍ଭବକୁ ମଣିଷ ରୂପ ଦେଲେ । ରଜା ପ୍ରଜା ସମସ୍ତେ ଖୁସି ହେଲେ । ଅସମ୍ଭବ ରଜା ହୋଇ ରାଜ୍ୟ ଶାସନ କଲା ।

 

ମା ବାରମାସୀ ଚଢ଼େଇକୁ ଛୁଆମାନେ ଘେରିଯାଇ ଅସ୍ତବ୍ୟସ୍ତ କରି ପକେଇଲେ । ସବା ସାନଛୁଆଟି କହିଲା, ମା’ ତତେ ଶିକାରୀ ଧରି ନେଲାପରଠୁ ଚୁଗୁଲି ନାନୀ ମତେ କିଛି ଖାଇବାକୁ ଦେଇନି । ମୁଁ ଖାଡା ଉପାସ । ସେ ସଦାବେଳେ କନ୍ଦାକଟା କରୁଥିଲା ଓ ପଚାରିଲେ ପଦେ କିଛି କୁହେନା କି ବସା ଛାଡ଼ି କୁଆଡେ ଯାଏନା । ମା’ ତୁ ଫେରି ଆସିଲୁ ଭାରି ଭଲ ହେଲା । ମା’ ତତେ ଶିକାରୀ ଧରି ନେଇଥିଲା କାହିଁକି ? ତୁ ପୁଣି ଶିକାରୀ ପାଖରୁ ପଳେଇ ଆସିଲୁ କିଆଁ ?

☆☆☆

 

ନିର୍ବୋଧ

 

ମା’ ଆଖିରୁ ଲୁହ ପୋଛି କହିଲା, ବୁଝିଲୁ ଲୋ’ । ଝିଅ ଆମର ବଡ଼ ଶତ୍ରୁ ହେଲେ ଶିକାରୀ । ସେମାନେ ଆମକୁ ଧରି ନେଉ ନ ଥିଲେ କିଏ କାହିଁକି ଆମକୁ ପଞ୍ଜୁରିରେ ବନ୍ଦି କରି ଜୋର ଜବରଦସ୍ତ ବୋଲି ମନାଉଥାନ୍ତା । ଲୋଭ ଆମକୁ ଖାଉଛି । ଆମକୁ ଧରିବା ପାଇଁ ଶିକାରୀ ଦାନା ବୁଣି, ଜାଲ ବିଛାଇ ଥ‌ିବା କଥା ଭଲ ଭାବେ ଜାଣି ସୁଦ୍ଧା ଦାନା ଦେଖିଲାକ୍ଷଣି ଆମେ ଲୋଭ ସମ୍ଭାଳି ନ ପାରି ଜାଲରେ ପଡ଼ି କଲବଲ ହେଉଛୁ । ଏଥି ପାଇଁ ଆମେ ପୂରାପୂରି ଦାୟୀ । ଭାଗ୍ୟ ଭଲ ଥିଲା ବୋଲି ଶିକାରୀ ହାତରୁ ଖସି ଆସିଲି ଓ ତୁମମାନଙ୍କ ମୁହଁ ଦେଖିବା ସମ୍ଭବ ହେଲା । ନଚେତ୍‌ ଏ ଜୀବନରେ କାହା ସହିତ କାହାର ଦେଖା ସାକ୍ଷାତ ହେବା ସମ୍ଭବ ହୋଇ ନ ଥାନ୍ତା ।

 

ଛୁଆ କହିଲା, ମା’, ଏହି ଭୁଲର ପୁନରାବୃତ୍ତି ହେବନାହିଁ । ମୁଁ ଚଢ଼େଇମାନଙ୍କୁ ଭଇଭାବରେ ବୁଝେଇ ଦେବିଯେ, ଏଣିକି ଶିକାରୀ ବୁଣିଥିବା ଦାନା ଖାଇବାକୁ କେହି ଯିବେ ନାହିଁ ।

 

ମା’ କହିଲା, ଯେତେ ଯାହା କଲେ କ’ଣ ହେବ, ଦାନା ଦେଖିଲା କ୍ଷଣି ଆମ ପାଟିରୁ ଲାଳ ବୋହିବ । ଯେତେ ରାଣ ନିୟମ ପକେଇ ବାରଣ କଲେ ମଧ୍ୟ ଥୟ ହୋଇ କେହି ରହିପାରିବେନି । ଚେଷ୍ଟା କରିବା ବୃଥା ।

 

ଛୁଆ କହିଲା, ନା ମା’ ଆଜିଠାରୁ ସତର୍କ ନ ହେଲେ ଖୁବ୍‌ କମ ଦିନରେ ଚଢ଼େଇ କୁଳ ଲୋପ ପାଇଯିବେ ।

 

ମା’ କହିଲା, ଯେତେ ଯାହା କଲେ ବି ଆମେ କ’ଣ ଆମ ଖୋଇ କେବେ ଛାଡ଼ି ପାରିବା-?

 

ଚଢ଼େଇମାନେ ସଭା କରି ନିଷ୍ପରି କଲେ ଯେ, ‘‘ସନ୍ଦେହ ଜନକ ଭାବେ ଦାନା ପଡ଼ିଥିଲେ ତାହା କେହି ଖାଇବାକୁ ଯିବେ ନାହିଁ’’ । ତା ପରଠୁଁ ଚଢ଼େଇମାନେ ସଦାବେଳେ ଘୋଷି ହେଲେ, ‘‘ଶିକାରୀ ଆସିବ । ଦାନା ବୁଣିବ । ଜାଲ ବିଛାଇବ, ହେଲେ ଆମେ କେହି ଖାଇବାକୁ ଯିବା ନାହିଁ’’ ।

 

ଶିକାରୀମାନେ ନିତି ଚଢ଼େଇମାନଙ୍କ କଥା ଶୁଣି ଫେରି ଯାଉଥିଲେ । ଦିନେ ବୁଢ଼ା ଶିକାରୀଟିଏ ଚଢ଼େଇମାନଙ୍କ କଥା ଶୁଣି ମୁଣ୍ଡରେ ହାତ ଦେଇ ଚିନ୍ତାକଲା, ଭଲା କଥା ହେଲା, ପରିବାର ସାରା ଉପାସ । ଯେପରି ହେଉ ଘରକୁ ଡାଲି, ଚାଉଳ, ତେଲ ଲୁଣ ନେବାକୁ ପଡ଼ିବ । ଚଢ଼େଇ ଜାଲରେ ପଡ଼ନ୍ତୁ ଅବା ନ ପଡ଼ନ୍ତୁ ସେ ଆଜି ନିଶ୍ଚୟ ଜାଲ ବିଛାଇବ । ଚଢ଼େଇମାନେ ଗଛରେ ବସି ଘୋଷି ହେଉଥିଲେ, ଶିକାରୀ ଆସିବ, ଜାଲ ବିଛାଇବ, ଦାନା ବୁଣିବ, ହେଲେ ଆମେ କେହି ଖାଇବାକୁ ଯିବାନି ।

 

ଶିକାରୀ ଦାନା ବୁଣି, ଜାଲ ବିଛାଇ, ଲୁଚି ବସିଲା । କିଛି ସମୟ ଉତ୍ତାରେ ଯେତେ ଯେଉଁଠି ଚଢ଼େଇ ଥିଲେ ଗୋଟିଗୋଟି ହୋଇ ଉଡ଼ି ଆସି ଜାଲରେ ପଡ଼ିଲେ ଓ ଦାନାଖାଇ ଗୁଣୁଗୁଣୁ ହେଲେ ଶିକାରୀ ଆସିବ, ଜାଲ ବିଛାଇବ, ଦାନା ବୁଣିବ, ହେଲେ ଆମେ କେହି ଖାଇବାକୁ ଯିବାନି । ଶିକାରୀ କିଛି ବୁଝି ପାରିଲାନି । ଦୌଡ଼ିଯାଇ ଚଢ଼େଇଙ୍କୁ ଧରି ଗୋଟି ଗୋଟି କରି ପଞ୍ଜୁରିରେ ପୂରାଇଲା । ଚଢ଼େଇମାନେ ପଞ୍ଜୁରିରେ ବନ୍ଦୀ ହୋଇ ମଧ୍ୟ ଚିଲ୍ଲଉ ଥିଲେ, ଶିକାରୀ ଆସିବ, ଜାଲ ବିଛାଇବ, ଦାନା ବୁଣିବ, ହେଲେ ଆମେ କେହି ଖାଇବାକୁ ଯିବାନି ।

☆☆☆

 

ସ୍ରଷ୍ଟା

 

ଠେକୁଆ ଛୁଆ ପଚାରିଲା, ମା’ ତୁ ଅଜା ଆଈଙ୍କୁ ଦେଖିଛୁ କି ?

 

ହଁ

 

ଅଣ ଅଜା ଆଈଙ୍କୁ ଦେଖିଛୁ ?

 

ଦେଖି ନାହିଁ ଯଦିଓ ଶୁଣିଛି । ଅଣ ଅଜା ଆଈ ନ ଥିଲେ ଅଜାଙ୍କ ଜନ୍ମ ସମ୍ଭବ ହୋଇନଥାନ୍ତା ।

 

ଅଣ ଅଜା ଆଈଙ୍କୁ ନ ଦେଖି ମଧ୍ୟ ସେମାନେ ଥିଲେ ବୋଲି ତୋର ଦୃଢ଼ ବିଶ୍ଵାସ-। ପଣ ଅଜା ଆଈ ଓ ସେମାନଙ୍କର ବାପା ମା’ ମଧ୍ୟ ନିଶ୍ଚୟ ଥିଲେ । ତୁ ସେମାନଙ୍କ ସମ୍ବନ୍ଧରେ ପଦେ କେବେ କହୁନା କାହିଁକି ? ଆପଣା ବଂଶଧରଙ୍କୁ ଭୁଲିଗଲୁ କିପରି ? ତୁ ମୋତେ ଆଦର, ସ୍ନେହ, ଶ୍ରଦ୍ଧା କରୁ; ପ୍ରତି ବଦଳରେ ମୁଁ ତୋତେ ଭଲପାଏ, ସମ୍ମାନ ଦିଏ । ଦୁହିଁଙ୍କ ମଧ୍ୟରେ ଅତୁଟ ସଂପର୍କ-। ସେମାନଙ୍କ ମଧ୍ୟରେ ଏହିପରି ଥିଲା । ଏହା ଆମେ ସେମାନଙ୍କଠୁ ଶିକ୍ଷା କରିଛେ, ଅଥଚ ଆମେ ପରସ୍ପର ଠାରୁ ଦୁରେଇ ଯାଉଛେ କାହିଁକି ? ବାପା ମା’ ଓ ପୁଅ ଝିଅଙ୍କ ମଧ୍ୟରେ ଥ‌ିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା କ’ଣ ସେମାନଙ୍କ ମଧ୍ୟରେ ସୀମିତ । ମରିଗଲେ ତୁଟିଯାଏ ? ଆମେ ଯେପରି ଆମ ପୂର୍ବପୁରୁଷ ମାନଙ୍କୁ ଭୁଲି ଯାଇଛେ ଆମକୁ ମଧ୍ୟ ଆମର ଭାବୀ ବଂଶଧର ମାନେ ନିଶ୍ଚେ ଭୁଲିଯିବେ । ସଂପର୍କ କ’ଣ ମିଥ୍ୟା ଓ କ୍ଷଣସ୍ଥାୟୀ ?

 

ଦିନେ କାଳେ ନାହିଁ ଏ କଥା ଆଜି ପଚାରିଲୁ କାହିଁକି ?

 

ପୂର୍ବ ପୁରୁଷମାନେ ମନେ ପଡ଼ିଲେ । ମା’, କାଳର କରାଳ ଗତିରେ ସବୁ ବିଲୀନ ହୋଇ ଯାଉଛି । କେହି କାହାକୁ ମନେ ରଖୁନାହିଁ । ସୃଷ୍ଟିର ଆରମ୍ଭରୁ କେତେ ଯେ ଜୀବଜନ୍ତୁ, ପଶୁପକ୍ଷୀ, କୀଟ ପତଙ୍ଗ, ବୃକ୍ଷ ଲତା ଓ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ନିଶ୍ଚିହ୍ନ ହେଲେଣି ତାର ଇୟତ୍ତା ନାହିଁ । ଏଥି ପ୍ରତି କାହାର ଖିଆଲ ନାହିଁ । ଆମେ ଦୁନିଆର ସବୁଠୁ ନିରୀହ ଜୀବ । ଆମର ପୁଣି କି ପରିଚୟ ? ବଳୁଆ, ପାରଙ୍ଗମ ଓ ପରୋପକାର, ମହତ୍‌ କର୍ମ କାଳ କାଳକୁ ମନେ ରୁହେ । ଆମଦ୍ୱାରା ଅବା କି ମହତ୍‌ କର୍ମ ହେବ ଯେ ଆମକୁ ମନେ ରଖିବେ । ଆମ ଜନ୍ମ ଓ ମୃତ୍ୟୁରେ ପ୍ରଭେଦ ନାହିଁ । ନିରୀହ ଜୀବଟିଏ ଜୀବନ ଦେଇ ପରୋପକାର କଲେ ମଧ୍ୟ କେହି ତାକୁ ମନେ ରଖେନା; କିନ୍ତୁ ମଣିଷ ଖିଆ ବାଘକୁ ମନେ ରଖେ । ଆମେ ସୃଷ୍ଟିର ନଗଣ୍ୟ ଜୀବ । ଉଚ୍ଚ ଆଶା କରିବା ବୃଥା । ଦୁନିଆର ଶ୍ରେଷ୍ଠ ଜୀବ ମଣିଷ କେବଳ ସେମାନଙ୍କ ବଂଶଧରଙ୍କୁ ମନେ ରଖନ୍ତି ।

 

ଏହା ମୋଟେ ସତ୍ୟ ନୁହେଁ । ସମୟ ବଡ଼ ନିର୍ଦ୍ଦୟ । ତାର ବାଛ ବିଚାର ନ ଥାଏ । ବଳୁଆ, ପାରଙ୍ଗମ ଓ ପରୋପକାରୀମାନଙ୍କ ସହିତ ସମସ୍ତେ ଦିନେନା ଦିନେନା ବିଲୀନ ହୋଇ ଯାଆନ୍ତି । ବର୍ତ୍ତମାନର ମହାନଙ୍କ ପରି ଅତୀତରେ ମଧ୍ୟ ଥିଲେ; କିନ୍ତୁ ସମୟ ସ୍ରୋତରେ ଲୀନ ହୋଇ ଯାଇଛନ୍ତି । ଦିନେ ନା ଦିନେ ସମସ୍ତେ ହଜି ଯିବେ । ଦୁନିଆରେ କେହି କାହାକୁ ଚିରଦିନ ମନେ ରଖେନା । ସୃଷ୍ଟିର ଆରମ୍ଭରୁ ଏହି ପ୍ରକ୍ରିୟା ଅହରହ ଚାଲିଛି । ଅନନ୍ତ କାଳରୁ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ଚେଷ୍ଟିତ; କିନ୍ତୁ ସମୟ ସେମାନଙ୍କୁ ନିର୍ଦ୍ଦୟ ଭାବେ ନିଶ୍ଚିହ୍ନ କରି ଚାଲିଛି ।

 

ସୃଷ୍ଟି ଚିରସ୍ଥାୟୀ ନୁହେଁ । ସମୟ କ୍ରମେ ସୃଷ୍ଟିର ବିନାଶ ହୁଏ । ସୃଷ୍ଟି ଓ ବିଲୟ ମଧ୍ୟରେ ଲୁଚକାଳି ଖେଳ ଲାଗି ରହିଛି । ବୃଥା ଅହମିକା ଛାଡ଼ି ଚିରନ୍ତନ ସତ୍ୟକୁ ମାନି ନେବା ଉଚିତ୍ ।

 

ଏହା ନିରାଟ ସତ୍ୟ ଯେ ପ୍ରତ୍ୟେକ ଅଣୁ ପରମାଣୁ ଜୀବଜନ୍ତୁ, ଗଛଲତା, ସଜୀବ ନିର୍ଜୀବ ପଦାର୍ଥ ଠାରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ଓ ବିଶ୍ଵ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା କେହି ନା କେହି ନିଶ୍ଚୟ ଅଛି । ଏହି ଅଭ୍ରାନ୍ତ ସତ୍ୟକୁ ସମସ୍ତେ ଭୁଲିଯାଆନ୍ତି; କିନ୍ତୁ ମଣିଷ ସମାଜର ଏକ ଅବହେଳିତ ଗୋଷ୍ଠୀ, ଯେଉଁମାନଙ୍କୁ ସାହିତ୍ୟିକ କୁହାଯାଏ, ସେମାନେ ସଦାବେଳେ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କରି ନୂତନ ସୃଷ୍ଟି ସର୍ଜନା କରନ୍ତି । ସ୍ରଷ୍ଟା କେବେ ବିଲୀନ ହୁଏନା । ସ୍ରଷ୍ଟା ଅମର ।

☆☆☆

 

ଅସୁରୁଣୀ ବୁଢ଼ୀ ମରଣ କଥା

 

ପୁରୁଣା କାଳର କଥା । ଅସୁରୁଣୀ ବୁଢ଼ୀଟିଏ ଥିଲା । କଳାବତୀ ବୋଲି ତା’ର ଝିଅଟିଏ ଥିଲା । ସେ କଳାବତୀକୁ ଭାରି ଗେହ୍ଲା କରେ । ଝିଅର ଫରମାସ ଅନୁଯାୟୀ ପ୍ରତିଦିନ ନୂଆ ନୂଆ ଦରବ ଆଣି ଦିଏ । ସକାଳୁ ଖାଦ୍ୟ ଯୋଗାଡ଼ରେ ବାହାରି ଯାଏ, ସଂଧ୍ୟାକୁ ଗାଈ, ମଇଁଷି, ଛେଳି, ମେଣ୍ଢା ପଲେ ଧରି ଘରକୁ ଫେରେ । ମା’ ଝିଅ ଦୁହେଁ କାଟିକୁଟି ଖାଆନ୍ତି ।

 

ଦିନେ ସକାଳୁ ଅସୁରୁଣୀ ବୁଢ଼ୀ ଖାଦ୍ୟ ଯୋଗାଡ଼ରେ ବାହାରିଥାଏ । କଳାବତୀ କହିଲା–ମା’ ସବୁଦିନେ ପଶୁପକ୍ଷୀଗୁଡା ଖାଇ ଖାଇ ଚିଡ଼ି ଲାଗିଲାଣି । ଆଜି ଯେମିତି ହେଉ ମଣିଷ ଯୋଗାଡ଼ କରି ଆଣିବୁ । ମଣିଷ ପିଲା କଅଁଳ ମାଉଁସ ଖାଇବାକୁ ପାଟି ଟାକୁ ଟାକୁ ହଉଛି । ବୁଢ଼ୀ କହିଲା—ହଁ ଲୋ ଝିଅ, ମୋର ମଧ୍ୟ ମଣିଷ ମାଉଁସରେ ଶରଧା । ମନ ହାଇଁ ପାଇଁ ହଉଚି, ହେଲେ ମିଳୁଛି କେଉଁଠୁ ? ଆଜି ଭାଗ୍ୟରେ କ’ଣ ଅଛି କେଜାଣି I ହଉ ମୁଁ ଯାଏ, ତୁ’ ଦୁଆର ଦେଇ ଘରେ ଥା’ ।

 

ଅସୁରୁଣୀ ବୁଢ଼ୀ ପାପରା ବୁଢ଼ୀ ରୂପରେ ବୁଲୁ ବୁଲୁ ନଈ କୂଳରେ ଝଙ୍କାଳିଆ ମଣ୍ଡାପିଠା ଗଛଟାଏ ଦେଖିଲା । ଗାଈଆଳ ପିଲାମାନେ ଗଛରେ ଚଢ଼ି ମଣ୍ଡା ପିଠା ଖାଇ ଡାଳମାଙ୍କୁଡ଼ି ଖେଳୁ ଥିଲେ । ବୁଢ଼ୀ ଗଛ ତଳେ ଠିଆ ହୋଇ କହିଲା–ପିଲାମାନେ, ମଣ୍ଡା ପିଠାଟାଏ ଦିଅନ୍ତନି, କଲ୍ୟାଣ କରନ୍ତି । ଗୋବରା ବୋଲି ପିଲାଟିଏ ଗଛରେ ଥାଇ କହିଲା, ତଳେ ପିଠା ପଡ଼ିଛି । ଗୋଟେଇ ଖା’-। ବୁଢ଼ୀ କହିଲା, ନାତିରେ ଗଛତଳେ ଖାଲି ଖଣ୍ଡିଆ ଖାବରା, ପୋକରା ଓ କଷି ପିଠା ଗୁଡ଼ା ପଡ଼ିଛି-। ମାଛି ଭଣ ଭଣ ହଉଛନ୍ତି । ଭଲ ପିଠାଟିଏ ହାତକୁ ଦିଅନ୍ତୁନି, ଠାକୁରେ ତୋର ମଙ୍ଗଳ କରନ୍ତେ-। ଗୋବରା କହିଲା, ତୋ’ ସେବା କରିବାକୁ ଆମର ବେଳ ନାହିଁ ? ଡାଳମାଙ୍କୁଡ଼ି ଖେଳିବୁନା ତତେ ପିଠା ତୋଳି ଦେବୁ । ତଳୁ ଗୋଟେଇ ଖା’ ନଚେତ୍‌ ଗଛରେ ଚଢ଼ି ଖା’ । ବୁଢ଼ୀ କହିଲା, ମୁଁ ବୁଢ଼ୀଟାଏ । ଆଖିକୁ ଦିଶୁନି କି ଗଛ ଚଢ଼ି ଜାଣିନି । ତୁ’ ମୋ ହାତକୁ ପିଠାଟାଏ ଦିଏ ଯେ ମୁଁ ଖାଇ ଖାଇକା ଚାଲିଯିବି ।

 

ବୁଢ଼ୀର କାକୁତି ମିନତି ଦେଖି ଗୋବରା ପିଠାଟିଏ ତୋଳି ବୁଢ଼ୀ ହାତକୁ ବଢ଼େଇଲା ମାତ୍ରେ ସେ ଚଟ୍‌ ପଟ୍‌ ତାକୁ ଗଛରୁ ଘୋଷାରି ଆଣି ଅଖା ଭିତରେ ପୂରେଇ ମୁହଁ ବାନ୍ଧି ଦେଲା ଓ ମୁଣ୍ଡରେ ମୁଣ୍ଡେଇ ଟୁଙ୍ଗ୍‌ ଟୁଙ୍ଗ୍‌ ହୋଇ ନଈ କୂଳେ କୂଳେ ଏକ ମୁହାଁ ହୋଇ ଚାଲିଲା । କିଛିବାଟ ଗଲାପରେ ଅସୁରୁଣୀ ବୁଢ଼ୀକୁ ଝାଡ଼ା ଲାଗିଲା । ପୋଟଳିଟିକୁ ଥୋଇ ଝାଡ଼ା ଗଲା । ସେଇ ବାଟ ଦେଇ ବାଟୋଇଟିଏ ଯାଉଥିଲା । ଗୋବରା ଅଖା ଭିତରୁ ବାଟୋଇକୁ ଡାକ ପକେଇଲା–ବାଟୋଇ ଭାଇ, ବାଟୋଇ ଭାଇ, ଅଖାମୁହଁ ଟିକେ ଖୋଲିଦିଅ । ବାଟୋଇ ଅଖାମୁହଁ ଖୋଲିଦେବାରୁ ଗୋବରା ଅଖା ଭିତରେ ଟେକା, ପଥର, କଣ୍ଟା ଇତ୍ୟାଦି ପୂରେଇ ମୁହଁ ବାନ୍ଧିଦେଇ ପଳେଇଲା ।

 

ବୁଢ଼ୀ ଝାଡ଼ା ଆସି ପୋଟଳି ମୁଣ୍ଡେଇ ଘରମୁହାଁ ଚାଲିଲା । ଚାଲିଲା ବେଳେ ପଥର ଖଣ୍ଡେ କି ଟେକା ଖଣ୍ଡେ ଗଡ଼ିପଡ଼ିଲେ ବୁଢ଼ୀ କହୁଥାଏ–ହଉରେ ପୁଅ, କେତେ ବିଧା ମାରିବୁ ମାରେ, କଣ୍ଟା ଫୋଡ଼ି ହୋଇଗଲେ କହୁଥାଏ–କେତେ ଚୁମୁଡ଼ୁଛୁରେ ପୁଅ ଚୁମୁଡ଼ୁଥା’ ଆଉ ଟିକେକେ ପରେ ମାଉଁସ ହବୁ । ବୁଢ଼ୀ ଘରେ ପହଞ୍ଚି କହିଲା, ଝିଅଲୋ, ତୋ’ ପାଇଁ ମନଲାଖି କଅଁଳ ଛନଛନିଆ ମଣିଷ ପିଲାଟିଏ ଆଣିଛି । କାଟିକୁଟି ତରକାରି କର । ମୁଁ ଗାଧୋଇ ଯାଉଛି ।

 

କଳାବତୀ ଆନନ୍ଦରେ ଧାଇଁ ଆସି ଅଖାମୁହଁ ଖୋଲି ଦେଲା ଓ ଟେକା, ପଥର, କଣ୍ଟା, ଝଟା ଦେଖି ମୁଣ୍ଡ ବାଡ଼େଇ କାନ୍ଦିଲା । ବୁଢ଼ୀ ଗାଧୋଇ ଆସି କହିଲା–ମଣିଷ ମାଉଁସ ଖାଇବାକୁ ପାଟି ଟକ୍‌ ଟକ୍‌ ଡାକିଲାଣି । ତରକାରି ଆଣିଲୁ । କଳାବତୀ କହିଲା, ମଣିଷ ମାଉଁସ ନା ଚୁଲି ପାଉଁଶ ଖାଇବୁ । ଅଖାରେ ଅଖାଏ ଟେକା, ପଥର, କଣ୍ଟା, ଝଟା ଆଣି କହିଲା କ’ଣ ନା ମଣିଷ ଆଣିଛି । ମଣିଷ ନା ଫଣିଷ । ହଁ ଲୋ ଝିଅ, ତତେ ମିଛ ମତେ ସତ, ମୁଁ ନିଜ ହାତରେ ମଣିଷ ପିଲାଟିକୁ ଅଖାରେ ପୁରେଇ ଆଣିଥିଲି । ଟେକା, ପଥର, କଣ୍ଟା, ଝଟା ଆସିଲା କେଉଁଠୁ ? ବୁଢ଼ୀ ବିଳିବିଳେଇ କହିଲା–ଝିଅଲୋ, ମନେ ପଡ଼ିଲା । ଆସିଲା ବେଳେ ଝାଡ଼ା ଲାଗିବାରୁ ଅଖା ଥୋଇ ଝାଡ଼ା ଯାଇଥିଲି । ସେଇ ସୁଯୋଗରେ ପିଲାଟା ଅଖାରେ ଟେକା, ପଥର, କଣ୍ଟା ଆଦି ପୂରେଇ ଛୁ’ କରିଛି । ହଉ ଝିଅ ମନଦୁଃଖ କରନା” । କାଲିକୁ ଆଉ ମୁଁ ଭୁଲ କରିବି ନାହିଁ । ନିଶ୍ଚେ ସେ ଟୋକାକୁ ଧରି ଆଣିବି ।

 

ତା’ ପରଦିନ ବୁଢ଼ୀ ଭିକାରୁଣୀ ବେଶରେ ମଣ୍ଡାପିଠା ଗଛ ପାଖକୁ ଗଲା । ଗାଈଆଳ ପିଲାମାନେ ଗଛରେ ବସି ପିଠା ଖାଉଥିଲେ । ବୁଢ଼ୀ ଗଛ ତଳେ ଛିଡ଼ା ହୋଇ କହିଲା, ପିଲାଏ, ଭିକାରୁଣୀ ବୁଢ଼ୀକୁ ପିଠା ଖଣ୍ଡେ ଦିଅରେ, ତୁମମାନଙ୍କର ଧରମ ହେବ । ଗୋବରା କହିଲା, ହଇଲୋ ବୁଢ଼ୀ, କାଲି ପରା ମୋତେ ବାହାନା କରି ଧରି ନେଇଥିଲୁ । ଆଜି ପୁଣି ଆସି ପେଖନା କାଢ଼ୁଛୁ । ଭାଗ୍ୟ ଭଲଥିଲା ବୋଲି ଖସି ଆସିଲି ସିନା । ଯା’ ଯା’ ବାହର ଏଠୁ । ବଦମାସ ବୁଢ଼ୀ ଗେହ୍ଲେଇ ହଉଚି । ବାହାର ଏଠୁ ନ ହେଲେ ପିଠା ଫୋପାଡ଼ି ତୋ’ ମୁଣ୍ଡ କଣା କରିଦେବି । ବୁଢ଼ୀ କହିଲା, କାହା କଥା କହୁଛୁରେ ପୁଅ । କାହା ଉପରେ ଏମିତି ରାଗୁଛୁ । କିଏ କ’ଣ କଲା ? ଗୋବରା କହିଲା–ତୁ କ’ଣ କିଛି ଜାଣିଛୁ ? –ସାଧୁ ମହାତ୍ମାଟାଏ । ଯା’ ଯା’ ତୋର ଫିସାଦି ଆଉ ଚଳିବନି । ବୁଢ଼ୀ କହିଲା–ତୁଛାଟାରେ ମୋ’ ଉପରେ କାହିଁକି ରବେଇ ଖବେଇ ହେଉଚୁରେ ପୁଅ, ମୁଁ ତୋର କି ଅନିଷ୍ଟ କଲି । ମୁଁ ଅନ୍ଧୁଣୀ ଭିକାରୁଣୀଟା, ଇଛାହେଲେ ପିଠା ଖଣ୍ଡେ ଦବୁ ନଚେତ୍‌ ନାହିଁ-। ଏତେ କଥା କହୁଚୁ କାହିଁକି । କିଏ କଣ କଲା, ମୋ ଉପରେ କାହିଁକି ରାଗ ଶୁଝଉଛୁ-। ବୁଢ଼ୀ ମୁଣ୍ଡରେ ହାତ ଦେଇ ବାହୁନିଲା ।

 

ଗାଈଆଳ ପିଲାମାନଙ୍କର ମନଦୁଃଖ ହେଲା । ଗୋବରା ସାଙ୍ଗମାନଙ୍କୁ କହିଲା, ତମମାନଙ୍କର ଯଦି ବୁଢ଼ୀ ଉପରେ ଏତେ ଦୟା ତାହାହେଲେ ମୁଁ ପିଠା ଦେଉଛି । ଯଦି ସେ ଆଜି ମତେ ଧରିନିଏ, ତାହାହେଲେ ମୁଁ ତାକୁ ଏମିତି ମଜା ଚଖେଇବି ଯେ ସାରା ଜୀବନ ମନେ ରଖିଥିବ-। ଗୋବରା ପିଠାଟିଏ ତୋଳି ବୁଢ଼ୀ ହାତକୁ ବଢେଇ କହିଲା, ହଉ ନେ’, ନେ’ । ବୁଢ଼ୀ ଚଟ୍‌ପଟ୍‌ ଉଠିପଡ଼ି ପିଠା ସହିତ ଗୋବରାକୁ ଘୋଷାରି ଆଣି ବାନ୍ଧିବୁନ୍ଧି ମୁଣାରେ ପୂରେଇ ପବନ ବେଗରେ ଧାଇଁଲା । ବୁଢ଼ୀ ମଝିରେ ମଝିରେ କହୁଥାଏ, ହଉରେ ପୁଅ କାଲିକା ପରି ତତେ ବାଟରେ ଥୋଇବିଯେ ତୁ’ ଚମ୍ପଟ ଦେବୁ । ମା’ଝିଅ ମିଶି ତୋ’ ମାହଁସ ଖାଇଲେ ଯାଇଁ ମନ ଶାନ୍ତି ।

 

ବୁଢ଼ୀ ଘରେ ପହଞ୍ଚି ଡାକ ପକେଇଲା, ଝିଅଲୋ, ପନିକି ଧରି ଜଲ୍‌ଦି ଆସ । କଅଁଳ ଛନଛନ ମଣିଷ ପିଲା । ହାଡ଼ ମାଉଁସ ପାକଳ ହୋଇନି । ସତେ ଯେମିତି ଛେନା ପିଣ୍ଡୁଳାଟାଏ ।

 

ଝିଅ ଧାଇଁ ଆସି କହିଲା । କାଲିପରି ଅଖାରେ ଅଖାଏ ଟେକା, ପଥର, କଣ୍ଟା, ଝଟା ଆଣି ନାହୁଁ ତ । କାହିଁ ଦେଖେଇଲୁ । ମଣିଷ ମାହଁସ ଖାଇବାପାଇଁ ଆତ୍ମା ଡହଳ ବିକଳ ହେଲାଣି । କାହିଁ, କେଉଁଠି, ଦେଲୁ ଦେଲୁ । ରଡ଼ମଡ଼ କରି କଞ୍ଚା ଚୋବେଇ ଦିଏ । ଅସୁରୁଣୀ ବୁଢ଼ୀ କହିଲା, ହଉ, ନିଏ ଲୋ’ ଝିଅ । ତୋରି ଲାଗିତ ବାଟ ଅବାଟ ନ ମାନି ଧାଇଁ ଆସିଛି । କାଟିକୁଟି ତିଅଣ କର । ମୁଁ ଦାନ୍ତ ପକେଇ ଆସେ ।

 

କଳାବତୀ ମୁଣା ଖୋଲିବାରୁ ଗୋବରା ବାହାରିଲା ଓ ଖୁସିରେ ଘୋଷାରି ନେଇ ପନିକିଟାଏ ପକାଇ କାଟିବାକୁ ବସିଲା । ଗୋବରା ବରଡ଼ା ପତ୍ର ପରି ଥରୁଥାଏ । କଳାବତୀ କହିଲା, ହଇରେ ହେ ଟୋକା, ମୋ’ ହାତରୁ ତୋର ଆଜି ନିସ୍ତାର ନାହିଁ । ଆଜି ନିଶ୍ଚେ ମରିବୁ । ମରିବା ପୂର୍ବରୁ ତୋ’ ମୁଣ୍ଡରେ ଏପରି ଲମ୍ବା ବାଳ କିପରି ହେଲା ସେ କଥା ଟିକେ ବତେଇଲୁ । ଗୋବରା ଡର ଭୟ ଛାଡ଼ି କହିଲା, ଏଇଟା କିବା କଥା ଯେ, ତୁମେ ଚାହିଁଲେ ଆଖି ପିଛୁଳାକେ ତୁମର ବାର ହାତ ଲେଖାଏଁ ବାଳ ବଢିଯିବ । ମୋ ମା’ ମାସକୁ ଥରେ ମନ୍ତ୍ର ପଢ଼ି ମୋ’ ମୁଣ୍ଡକୁ ଢିଙ୍କିରେ କୁଟି ଦେଉ ଥ‌ିବାରୁ ମୋ ମୁଣ୍ଡ ବାଳ କଳା ମଚମଚ ହୋଇ ଲମ୍ବା ହୋଇଛି । ମୁଁ ବି ସେ ମନ୍ତ୍ର ଶିଖିଛି । ତୁମେ ଥରେ ମୁଣ୍ଡକୁ ଢିଙ୍କିରେ କୁଟି ଦେଉନା, ବାଳ ଲମ୍ବା ହୋଇଯିବ । କଳାବତୀ ଖୁସି ହୋଇ କହିଲା, ମୋ ମୁଣ୍ଡଟିକେ ଢିଙ୍କିରେ କୁଟି ଦିଅନ୍ତୁନି । ଗୋବରା କହିଲା, ହଁ ହଁ, କାହିଁକି ନୁହେଁ, ତୁମେ ଢିଙ୍କି ଭରାଣ୍ଡିରେ ମୁଣ୍ଡ ପୂରାଅ ମୁଁ ମନ୍ତ୍ର ପଢ଼ି କୁଟି ଦେବି । କଳାବତୀ ଢିଙ୍କି ଭରାଣ୍ଡିରେ ମୁଣ୍ଡ ପୂରାଇଲାରୁ ଗୋବରା ଢିଙ୍କିରେ ଚଢ଼ି ଯାଇ କୁଟି ପକାଇଲା । କଳାବତୀ ମୁଣ୍ଡ ଛେତରା ହୋଇ ମରିଗଲା । କଳାବତୀର ଲୁଗାପଟା, ଗହଣା ପିନ୍ଧି ତରବର ହୋଇ ତାକୁ କାଟି କୁଟି ରାନ୍ଧି ଦେଲା । ବୁଢ଼ୀ ଦାନ୍ତ ପଳେଇ ଆସି ଡାକିଲା–ଆଲୋ ଝିଅ, ଭୋକରେ କରଡ଼ି ଜଳିଲାଣି-। ଖାଇବାକୁ ବାଢ଼ିଲୁ । ଗୋବରା ମାଉଁସ ତରକାରି ନେଇ ବୁଢ଼ୀ ଆଗରେ ଥୋଇଲା । ବୁଢ଼ୀ ଖଣ୍ଡେ ମାଉଁସ ପାଟିକୁ ନେଇଛି କି ନାହିଁ । ବିଲେଇଟାଏ କାହୁଁ ଆସି ରଡ଼ିକଲା–‘‘ମ୍ୟାଉଁ ମ୍ୟାଉଁ ଝିଅ ମାଉଁସ ଟିକିଏ ଖାଉଁ’’ । ବୁଢ଼ୀ ଆଉ ଖାଇବ କଣ, ଝିଅକୁ ଡାକ ପକେଇଲା । ଆଲୋ ଝିଅ, ବିଲେଇଟା କ’ଣ ଏମିତି କହୁଛି ? ଗୋବରା ରୋଷେଇ ଘରେ ଥାଇ କହିଲା, ସେ ପୋଡ଼ା ମୁହଁ ବିଲେଇଟା କଥାରୁ କ’ଣ ପାଇବୁ, ତୁ’ ମନବୋଧ କରି ମାଉଁସ ଖା’ । ନାଇଁଲୋ ଝିଅ, ବାନ୍ତି ଲାଗୁଛି ଓ ମନ ପାପ ଛୁଉଁଛି । ମୁଁ ଖାଇବିନି ତୁ’ ଖାଇଦେ’ । ଅସୁରୁଣୀ ବୁଢ଼ୀ ଖାଇବା ପାଖରୁ ଉଠିଯାଇ କଣ ଘରେ ମୁହଁ ମାଡ଼ି ଶୋଇଲା । ଗୋବରା ମାଉଁସତକ ବାଡ଼ିରେ ପୋତି ଦେଲା ।

 

ଗୋବରା ଦିନେ ଅସୁରୁଣୀ ବୁଢ଼ୀର ମୁଣ୍ଡ କୁଣ୍ଡେଇ ଦେଉଥିଲା । ବୁଢ଼ୀ ଆରାମରେ ଆଖିବୁଜି ଦେଇଥାଏ । ଗୋବରା ଗେହ୍ଲେଇ ହୋଇ କହିଲା, ମା’ ଆଗପରି ତୁ ଆଉ ମତେ ଭଲ ପାଉନୁ । ମତେ ତ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ସବୁ କଥା କହୁ । ଏବେ ତୋର କ’ଣ ହୋଇଛି କେଜାଣି ମୋଟେ କିଛି କହୁନୁ । ବହୁତ ଦିନ ହେଲା ତତେ ଗୋଟେ କଥା ପଚାରିବି, ପଚାରିବି ହେଉଛି ଯେ, କାଳେ ତୁ’ ଖରାପ ଭାବିବୁ ସେଥ‌ିପାଇଁ ପଚାରୁ ନ ଥିଲି । ଅସୁରୁଣୀ ବୁଢ଼ୀ କହିଲା–କି କଥା ପଚାରିବୁ, ପଚାରୁନୁ । ତୋ’ ପାଖରେ ଲୁଚେଇବାର କ’ଣ ଅଛି । ତୁ ତ ମୋର ଅଲିଅଳ ଝିଅ ।

 

ଗୋବରା କହିଲା–ମତେ ତୁ’ ସବୁ ଗୁପ୍ତ କଥା କହି ସାରିଛୁ । ତୋ’ ମରଣ ରହସ୍ୟ ତ ଆଜି ପର୍ଯ୍ୟନ୍ତ କହିନୁ । ତୋ’ ମରଣ କେମିତି ହବ ।

 

ବୁଢ଼ୀ କହିଲା–ଦିନେ ନାହିଁ କାଳେ ନାହିଁ ଆଜି ଏକଥା କାହିଁକି ପଚାରିଲୁ ? ନାଇମ ମା’ ସେମିତି କିଛି ନୁହେଁ । ମୋ ମନରେ କିଛି ନାହିଁ । ଭାବିଲି, ତୁ ତ ବୁଢ଼ୀ ହୋଇଗଲୁଣି କେତେବେଳେ କେଉଁ କଥା । ମୁଁ ତ ପିଲାଲୋକ, ମୋର ହେପାଜତ କରିବ କିଏ । ତୋ’ ମରଣ କଥା ଆଗରୁ ଜାଣିଗଲେ ସତର୍କ ହୋଇଯିବି ।

 

ବୁଢ଼ୀ କହିଲା–ସେ ଆଶଙ୍କା ମନରୁ ଦୂର କରିଦେ’ ମୋର ପୁଣି ମରଣ ? ମତେ ମାରିବ କିଏ ? ମତେ ମାରିବା ପାଇଁ ଏ ଧରାରେ କେହି ଜନମି ନାହାନ୍ତି । ମୋ’ ମରଣ ମୋ’ ହାତରେ ।

 

ଗୋବରା କହିଲା–କି ଆଶ୍ଚର୍ଯ୍ୟ କଥା କହୁଚୁ ଲୋ ମା’ । ନିଜ ମରଣ ପୁଣି ନିଜ ହାତରେ ? ପିଲାଟା ବୋଲି ଭୁଲେଇ ଦଉଚୁନା କ’ଣ ?

 

ବୁଢ଼ୀ କହିଲା–ନାଇଁଲୋ ଝିଅ, ମୁଁ ମିଛ କହୁନି । ମୋ ମରଣ ରହସ୍ୟ ମୋତେ ଏକା ଜଣା । ଚଢ଼େଇ ଚିରୁଗୁଣୀଙ୍କୁ ଅଛପା ଟେର କିଏ ପାଇବ ନା ମୋ ମରଣ ହେବ । ଗହନ କଥାଲୋ ଝିଅ ସେ ବଡ଼, ଗହନ କଥା ।

 

ଗୋବରା କହିଲା–କେମିତିକା ଗହନ କଥା କହିଲୁ ଟିକେ ଶୁଣିବା । ମୁଁ କାହା ଆଗରେ କ’ଣ କହି ଦଉଛି ? ମା’ ମରଣ କିଏ କ’ଣ କାହାକୁ କୁହେ ।

 

ବୁଢ଼ୀ କହିଲା–କାହିଁକି ଅଝଟ କରୁଛୁ କହିଲୁ । କହିଲିପରା ମୁଁ ମରିବିନି, କି ତୁ’ ଅନାଥ ହେବୁନୁ । ମୋ’ ମରଣ ରହସ୍ୟ ଜାଣି କି ଲାଭ । ମୋ’ ଦେହରେ କଣ ମୋ’ ଜୀବନ ଅଛି କିଲୋ । ଝିଅ, ତାକୁ ନେଇ ଅଗନା ଅଗନି ବନସ୍ତ ଭିତରେ ଥ‌ିବା ଏକ ପୋଖରୀରେ ଲୁଚେଇ ରଖିଛି । ପୋଖରୀରେ କାଚକେନ୍ଦୁ ପରି ସାତତାଳ ପାଣି ପାଣି ତ ନୁହେଁ, କାଳକୁଟ ବିଷ । ଛାର ମଣିଷ କ’ଣ ପଥର ପଡ଼ିଲେ ବି ଭସ୍ମ ହୋଇଯିବ । ପାଣିତଳେ ସାତତାଳ ପଙ୍କ, ତା’ପରେ ଦିପଦଣ୍ଡି । ଦିପଦଣ୍ଡି ଭିତରେ ସୁନାଫରୁଆ । ସେ ପୁଣି ସାତ ପରସ୍ତ ପାଟ କନାରେ ଗୁଡ଼ା ହୋଇ ସାତୁଟା ବଜ୍ର ଗଣ୍ଠି ପଡ଼ିଛି । ଫରୁଆ ଭିତରେ ଭଅଁର । ଭଅଁରକୁ ମାରିବ କିଏ ନା ମୋ’ ମରଣ ହେବ ।

 

ଗୋବରା କହିଲା–ଏତେ ଗୋପନରେ ତାହାହେଲେ ତୋ’ ଜୀବନକୁ ଲୁଚେଇ ରଖିଛୁ-? ଯାହାହେଉ ଚିନ୍ତା ଗଲା । ଏତେ କଥା ଜାଣିବ କିଏ ? ତତେ ମାରିବାକୁ କାହାର ଗରଜ ପଡ଼ିଛି ଯେ । ହେଲେ ମା’ ମଣିଷଗୁଡ଼ା ଭାରି ବୁଦ୍ଧିଆ । ସେମାନେ କେବେ ଯଦି ସୁରାକ ପାଇ ଯାଆନ୍ତି ତାହାହେଲେ କଥା ସଇଲା । ତେଣୁ ଭାବୁଛି, ମତେ ଯଦି ଭଅଁର ପାଖରେ ପହଞ୍ଚିବାର ଉପାୟ ବତେଇ ଦିଅନ୍ତୁ ତାହାହେଲେ ତୋ’ ମରଣ ପୂର୍ବରୁ ମୁଁ ଆଗତୁରା ଯାଇ ଭଅଁର ରୂପକ ତୋ’ ଜୀବନକୁ ନେଇ ଆସି ଅନ୍ୟଠି ଲୁଚେଇ ଦିଅନ୍ତି । ମନରୁ ଦିକ ଯାଆନ୍ତା । ବୁଢ଼ୀ କହିଲା–ମଣିଷଗୁଡ଼ା କ’ଣ ବୁଢ଼ୀ କହିଲା–ମଣିଷଗୁଡ଼ା କ’ଣ କରିବେ ଲୋ ଝିଅ । ମୋ’ ପାଖ ମାଡ଼ିଲେ ତ ମୁଁ ସେମାନଙ୍କୁ ଗୋଟା ଗୋଟା ଗିଳିଦେବି । ସେମାନଙ୍କ ହାତ କୋଉ ମୋ ତାଳୁରେ ପହଞ୍ଚିବ ଯେ-

 

ଗୋବରା କହିଲା–ମା’, କିଛି ବୁଝି ହେଲାନି । ତୋ’ ତାଳୁକୁ ତାଙ୍କ ହାତ ପାଇବନି କ’ଣ କିଲୋ’ ? ତୋ’ ତାଳୁରେ କ’ଣ ଅଛି କି ?

 

ବୁଢ଼ୀ କହିଲା,–ହଁ, ମୋ ତାଳୁ ଉପରେ ଯେଉଁ ପାଚିଲା ବାଳଟା ଅଛି, ସେଇଟା ହେଉଛି ମୂଳ । ସେ ବାଳଟା ଉପାଡ଼ି ଦେଲେ ମୁଁ ଚଲା ବୁଲା କରିପାରିବିନି । ବାଳଟିକୁ ନେଇ ଓଲଟା ପାହାଡ ଉପରେ ହାତିକିଆ ମନ୍ଦିରରେ ଅପୂଜା ଥ‌ିବା ବାରହାତି ଠାକୁରାଣୀଙ୍କୁ ପୂଜା ଅର୍ଚ୍ଚନା କରି ତାଙ୍କ ନାଭି ମଣ୍ଡଳରୁ ଡେଉଁରିଆଟି ଆଣି ଡାହାଣ ହାତ ମଣିବନ୍ଧରେ ବାନ୍ଧି ନୀଳ ଝରଣାରେ ଗାଧୋଇଲେ ଦେହ ବଜ୍ର ପାଲଟି ଯିବ । ତା, ପରେ ପୋଖରୀ ଭିତରେ ପଶି ଭଅଁର ପାଖରେ ପହଞ୍ଚିବ । ଫରୁଆ ଖୋଲି ସାତଥର ‘‘ଅସୁରୁଣୀ ମରଣ ଜଗତ କଲ୍ୟାଣ” କହି ଭଅଁରର ତଣ୍ଟି ଚିପି ଦେଲେ ମୋ’ ପ୍ରାଣ ଠକ୍‌ କିନା ଛାଡ଼ିଯିବ । ଏତେ ଗୁମର ଜାଣିବ କିଏ ଯେ, ଉଷୁନା ଧାନ ଗଜା ହେବ । ବୁଝିଲୁ ଝିଅ, କହୁ କହୁ ତତେ ଗୁମର କଥା କହି ଦେଲି । ଏ କଥା ଯେପରି କାନକୁ ଦି’ କାନ ନ କରୁ । ଖିଆଲ ରଖିଥ‌ିବୁ ।

 

ଗୋବରା କହିଲା–କି କଥା କହୁଚୁ ମ ମା’, ଝିଅ କେବେ ମା’ର ମରଣ ଚିନ୍ତା କରେ । ତୁ ନିଶ୍ଚିନ୍ତ ରହ ।

 

ଦିନେ ଅସୁରୁଣୀ ବୁଢ଼ୀ କହିଲା–ଆଲୋ ଝିଅ ମୁଣ୍ଡରେ ଉକୁଣୀ ସାଲୁବାଲୁ ହଉଛନ୍ତି ଟିକେ ଦେଖନ୍ତୁନି । ଗୋବରା କାମଧନ୍ଦା ଛାଡ଼ି ବୁଢ଼ୀ ମୁଣ୍ଡରୁ ଉକୁଣୀ ଦେଖିଲା । ଅଚାନକ ତାଳୁରୁ ପାଚିଲା ବାଳଟି ଉପାଡ଼ି ନେଇ ଏକ ମୁହାଁ ହୋଇ ଦୌଡ଼ିଲା । ବୁଢ଼ୀ ରଡ଼ି କରି ଗଡ଼ିଲା । ବୁଢ଼ୀ କହିବାନୁସାରେ ବାରହାତି ଠାକୁରାଣୀଙ୍କ ନାଭି ମଣ୍ଡଳରୁ ଡେଉଁରିଆ ଆଣି ମଣିବନ୍ଧରେ ବାନ୍ଧି ଝରଣାରେ ଗାଧୋଇ ପୋଖରୀ ଭିତରେ ପଶି ଫରୁଆ ବାହାର କରି ସାତ ଥର “ଅସୁରୁଣୀ ମରଣ ଜଗତ କଲ୍ୟାଣ’’ କହି ଭଅଁରକୁ ଚିପି ମାରିଦେଲା । ଅସୁରୁଣୀ ବୁଢ଼ୀ ଗର୍ଜନ କରି ମରିଗଲା । ଅସୁରୁଣୀ ବୁଢ଼ୀ ଘରୁ ଧନ ରତ୍ନ ଧରି ଗୋବରା ନିଜ ଘରକୁ ଫେରିଲା ।

☆☆☆

 

ନଅ ଛଅ ତେର

 

ଠେକୁଆ ମନ ଦୁଃଖରେ ବସିଥିଲା । କଟାଶ ପହଞ୍ଚି କହିଲା, ସଞ୍ଜ ପହରଟାରେ ମୁହଁ ଫୁଲେଇ ବସିଛ କିଆଁ ? ଗହଳ ଚହଳ ନାହିଁ । ଚାରିଆଡେ ଶୁନ୍‌ ଶାନ୍‌ । ଛୁଆ ମାନେ କୁଆଡ଼େ ଯାଇଛନ୍ତି କି ?

କ’ଣ କରିବି ଭଉଣୀ, ବଡ଼ ପୁଅଟାକୁ ଭୀଷଣ ଜର । ଅମାନିଆଟା ମାମୁଁ ମାଇଁଙ୍କ କଥା ନମାନି ଛ’ ଦିନରେ ପଳାଇ ଆସିଲା ଯେ ଅଧା ବାଟରୁ ଜର ହେଲା । ଏବେ କନ୍ଥା ଘୋଡ଼ି ହୋଇ ଜରରେ କମ୍ପୁଛି । ମନ ପାପ ଛୁଉଁଛି ।

ତମେ ଏଡ଼ିକି ବୋକୀ, ପୁଅଟା ଯଦି ଛ’ ଦିନରେ ପଳେଇ ଆସିଲା ତେବେ ତାକୁ ଘରେ ପୁରାଉ ଥିଲ କାହିଁକି ? ରାତିଟା କାହାଘରେ ଶୋଇପଡ଼ି ସକାଳୁ ସକାଳୁ ଆସିଥିଲେ ଚଳିଥାନ୍ତା । ତୁମେ ତ ନିଜେ ଭୁଲ କରିଛ, ଏବେ ସକେଇ ହୋଇ କି ଫାଇଦା ? ତୁମକୁ ଯଦି ମାଲୁମ ନ ଥିଲା ମୋତେ ଟିକେ ପଚାରିଲ ନି । ମୋ ପୁଅଟା ସେମିତି ଥରେ ନଅ ଦିନେ ମାମୁଁ ଘରୁ ପଳେଇ ଆସିଥିଲା ଯେ ମୁଁ ତାକୁ ଘରେ ପୁରେଇ ଦେଲିନି । ଜୋର ଜବରଦସ୍ତ ନେଇ ଶାଳିଆପତନି ଘରେ ଶୁଆଇ ଦେଇ ଆସିଲି । ‘ଛଅ’, ‘ନଅ’, ‘ତେର’ ଦିନରେ ଘରକୁ ଫେରିଲେ ଜର ହେବ ହିଁ ହେବ । ସତର୍କ ନ ହେଲେ ଜୀବନ ହାନୀ ବି ଘଟି ପାରେ ।

ମା’ ଠେକୁଆ କାନ୍ଦି ଉଠି କହିଲା, ତୁମେ କାଳ କଥା ଗୁଡ଼ାକ ତୁଣ୍ଡରେ ଧରନା । ମୋ ସୁନାଟା ଭଲ ହୋଇଯାଉ । ବନ ଦେବୀ ସାହା, ମା’ଲୋ, ତୁ’ ଭରସା । ମୋ ପୁଅ ଭଲ ହୋଇଗଲେ ମାଜଣା ଓ ଭୋଗ କରିବି । ମାନସିକ କଲିଲୋ ମା’, ଟିକେ ଉଣା କରିବି ନାହିଁ ।

 

ସେ ତ ପଛ କଥା, ଏବେ ପୁଅକୁ ଔଷଧ ଆଣି ଦିଅ ।

 

ଔଷଧ ପାଇଁ ନେଉଳ ପାଖକୁ ଯାଇଥିଲି ଯେ ସେ ଘରେ ନ ଥ‌ିବାରୁ ଫେରି ଆସିଲି । ଭାଲୁ ମଉସାଙ୍କ ଠାରୁ ମନ୍ତୁରା ସୋରିଷ ଆଣି ତା ଶେଯରେ ପକେଇଛି । ସଞ୍ଜ ପହର ଗଡ଼ି ଗଲେ ସେ ପୁଣି ଛାଡ଼ି ଦେବାକୁ ଆସିବେ । ତା’ ବାପା ଭଲା ହାଟରୁ ଜଲ୍‌ଦି ଲେଉଟନ୍ତେ କି ଯାହା ବ୍ୟବସ୍ଥା କରନ୍ତେ । ମୁଁ ଏବେ ତାକୁ ଛାଡ଼ି କୁଆଡ଼େ ଯିବି କହିଲ । ବୁଦ୍ଧିବାଟ ଦିଶୁନି । ବନ ଦେବୀଙ୍କ ଛଡ଼ା ସାହା ଭରସା ଆଉ କେହି ନାହାନ୍ତି । ରଖିଲେ ରଖିବ ମାରିଲେ ମାରିବ । ତା’ଇଚ୍ଛା ।

 

କୋକି ଅଳସ ଭାଙ୍ଗି ସେମାନଙ୍କ ପାଖରେ ପହଞ୍ଚି କହିଲା, ଦୁହେଁ ମିଶି କ’ଣ ଫୁସୁରୁ ଫାସର ହେଉଛ କି ? କଟାସ କହିଲା, ନାଇଁମ ମାଉସୀ, ହସଖୁସି ହବାକୁ କାହା ମନରେ ସରାଗ ଅଛି ଯେ । ତାଙ୍କ ବଡ଼ ପୁଅଟା ଛ’ ଦିନରେ ମୁଁ ଘରୁ ଫେରି ଜରରେ କମ୍ପୁଛି ।

 

ବଡ଼ ଅଶୁଭ କଥା । “ନଅ, ଛଅ, ତେର, ଯେବେ ଯିବ ଘର, ବାଟେ ହେବ ଜର, ଘରେ ଯାଇ ମର” । ବାଟରେ ଜର ହୋଇଛି ମାନେ ଯେତେ ଚେଷ୍ଟା କଲେ ସେ ଆଉ ବଞ୍ଚିବନି । ଠେକୁଆ କାନ୍ଦି କାନ୍ଦି କହିଲା, ମାଉସୀ ସଞ୍ଜ, ବୁଡ଼ଟାରେ ପାପ କଥା ତୁଣ୍ଡରେ ଧରୁଛୁ କିପରି ? ତୁମ ହୃଦୟ କଣ ପାଶାଣରେ ଗଢ଼ା ?

 

ତୁଛାଟାରେ ଖଙ୍ଗ ମଣୁଛୁ ସିନା ଯାହା ସତ ତାହା କହିଦେଲି । ଅପ୍ରିୟ ସତ ସଭିଙ୍କୁ ଅସୁଖ ଲାଗେ । ‘ନଅ’ ‘ଛଅ’ ଗୋଟାଏ ପ୍ରକାରେ କିନ୍ତୁ ‘ତେର’ ଟା ଭାରି ଅଶୁଭ । ମୋ ଘର କଥା ତୁମ କାହାକୁ ତ ଅଛପା ନାହିଁ । ତମ ମଉସା ‘ତେର’ ଦିନ ବିଦେଶରୁ ଫେରି ଘରେ ପଶୁ ପଶୁ ମାଟି ଭୁଷୁଡ଼ି ପଡ଼ିଲା ଯେ ରକ୍ତ ବାନ୍ତି କରି ସେପୁରକୁ ଗଲେ । ସେଇ ଦିନଠୁ ‘ନଅ’ ‘ଛଅ’ ‘ତେର’ କୁ ମୋର ଭାରି ଡର । ଯାହାତ ହେବାର ହେଲାଣି ମନ ଦୁଃଖ କରି ଲାଭ ନାହିଁ । ବିଳମ୍ବ ନ କରି ଚିକିତ୍ସା ଆରମ୍ଭ କର । ବିଲୁଆ ଆମ ବସ୍ତିର ସବୁଠୁ ପୁରୁଣା ବୁଢ଼ା । ତା’ ସହିତ ପରାମର୍ଶ କରିବା ଉଚିତ୍‌ ।

 

ଠେକୁଆ କହିଲା–କି କଥା କହୁଚମ’ ମାଉସୀ, ଜାଣି ଜାଣି ବିପଦକୁ ଡାକି ଆଣିବି ? ନିଉଛୁଣା ବିଲୁଆଟା ନାନା କଥା କହି ଭୁଲେଇ ଭାଲେଇ ଛୁଆଟାକୁ ମାରିଦେବ । ଯାହା ହବାର ହେଉ ପଛେ ବିଲୁଆକୁ ମୋଟେ ଡାକିବିନି ।

 

ଶାଳିଆପତନି ଛୁଆ ବହି ବସ୍ତାନି ଧରି ପହଞ୍ଚି କହିଲା, ମାଉସୀ, ଫେକୁଆ ଟ୍ୟୁସନ ଗଲାଣି କି ? ମା’ ଠେକୁଆ ମନ ଦୁଃଖରେ କହିଲା, ନାଇଁରେ ପୁଅ, ତାକୁ ଭାରି ଜର, ଜର ଛାଡ଼ିଲେ ଟ୍ୟୁସନ ଯିବ । ଶାଳିଆପତନି ଛୁଆ କହିଲା, ତୁମେ ମିଛ କହୁଛ ମାଉସୀ । ଆଜି ଦି’ ପହରେ ଗୋଧି ଛୁଆ ସହିତ ଲୁଚକାଳି ଖେଳୁଥ‌ିବାର ମୁଁ ନିଜ ଆଖିରେ ଦେଖିଛି । ଜର ପୁଣି ହେଲା କେତେବେଳେ ? କଟାଶ ଚଟାପଟ କହିଲା, ତୁ ଏତେ ତଦବିର କରିବା ଦରକାର ନାହିଁ । ଘର ବୁଡ଼ି ପାଣି ଆଣ୍ଠୁଏ, ତୁ କୁଆଡ଼ୁ ବୁଝିବୁ ? ଅଶୁଭ ‘ଛଅ’ ଦିନରେ ଘରକୁ ଫେରି ଜରରେ ଅଣାୟତ ହୋଇ ଗଡ଼ୁଛି ଯେ ଏ ଯାଏଁ ଚେତା ଫେରିନି । ଡକା ପଡ଼ିଛି । ତୁ ଛୋଟ ଛୁଆ । ତୋ ବାଟରେ ତୁ ଯା’ ।

 

ଯେଉଁ କଥାରେ ସତ୍ୟତା ନାହିଁ ସେଭଳି କଥା ବିଶ୍ୱାସ କରିବା ଅନୁଚିତ । ଜୀବାଣୁ ଦ୍ଵାରା ରୋଗ ହୁଏ ‘ଛଅ’ ‘ନଅ’ ଦିନରେ ଘରକୁ ଫେରିଲେ ରୋଗ ହୁଏ ନାହିଁ ।

 

କଟାଶ ରାଗିଯାଇ କହିଲା, ଏଡେ ଟିକେ ନାକୁରୁ ଛୁଆ, ବଡ଼ ବଡ଼ କଥା କହିଲା ବେଳକୁ ପାଟିରେ ବାଟୁଳି ବାଜୁନି । ଯୁଗ ଯୁଗରୁ ପ୍ରଚଳିତ ପ୍ରବାଦକୁ ଫାଙ୍କି ଦେଉଛୁ ?

 

ମାଉସୀ, ଯାହା ଠିକ୍‌ ତାହାହିଁ କହିଲି । ଭୁଲ ନ ଭାବି ବୁଝିବାକୁ ଚେଷ୍ଟା କର । ଫେକୁଆ ‘ଛଅ’ ଦିନରେ ଘରକୁ ଫେରିଲା ବୋଲି ତାକୁ ଜର ହେଲା । ଏହା ତୁମର ଅନ୍ଧ ବିଶ୍ଵାସ । ପ୍ରକୃତରେ ସେ ସର୍ଦ୍ଦିଜରରେ ପୀଡ଼ିତ ଗୋଧି ଛୁଆ ସହିତ ଖେଳିବା ଯୋଗୁଁ ରୋଗ ଜୀବାଣୁ ତା’ ଦେହକୁ ଆସିବା ଦ୍ଵାରା ତାକୁ ଜର ହେଲା । ଗୁଣିଆ ଦ୍ଵାରା ଝଡ଼ାଫୁଙ୍କା କରିବା ମଧ୍ୟ ଆଉ ଏକ ଅନ୍ଧବିଶ୍ଵାସ । ଔଷଧ ଦ୍ଵାରା ହିଁ ରୋଗ ଭଲ ହୁଏ । ପୁନଶ୍ଚ, କଟାସ ମାଉସୀ ପୁଅ ‘ନଅ’ ଦିନେ ଘରକୁ ନ ଫେରି ପଡ଼ୋସୀ ଘରେ ଶୋଇବାରୁ ଅନିଷ୍ଟ ହେଲାନି ବୋଲି ଭାବିବା ଠିକ୍‌ ନୁହେଁ । ସେଦିନ ସେ ଘରେ ଶୋଇଥିଲେ ମଧ୍ୟ ତାର କିଛି ହୋଇ ନଥାନ୍ତା । କାରଣ ତା’ଘର ଓ ପଡ଼ିଶା ଘର ମଧ୍ୟରେ କିଛି ତଫାତ୍‌ ନଥିଲା । ଏକ ପ୍ରକାର ପାଣି, ପବନ ଓ ପରିବେଶ । ସେହିପରି କୋକି ମଉସା ‘‘ତେର ଦିନ’’ ଘରକୁ ଫେରିବା ଯୋଗୁଁ ନୁହେଁ, ନିଜର ଅସାବଧାନତା ଯୋଗୁ ମୃତ୍ୟୁ ବରଣ କଲେ । ସବାଖିଆ କେଳାମାନେ କୋକି ମଉସାଙ୍କ ପରିବାରକୁ ଧରିବା ପାଇଁ ଗାତ ମୁହଁ ଖୋଳି କାଠି କୁଟା ବିଛେଇ ଟେକା, ପଥର ରଖି ଦେଇଥିଲେ । କୋକି ମଉସା ତରବର ହୋଇ ଗାତ ଭିତରକୁ ପଶିଯିବା ମାତ୍ରେ ତାହା ଭୁଷୁଡ଼ି ପଡ଼ିଲା ଓ ସେ ମୃତ୍ୟୁ ବରଣ କଲେ । ସେ ‘ତେର’ ଦିନ ପରିବର୍ତ୍ତେ ‘ଚଉଦ’ ଦିନରେ ଘରକୁ ବାହୁଡ଼ିଥିଲେ ମଧ୍ୟ ପରୀକ୍ଷା ନିରୀକ୍ଷା ନ କରି ଗାତରେ ପଶିଥିଲେ ସେଇ ଏକା କଥା ହୋଇଥାନ୍ତା । ‘ନଅ’ ‘ଛଅ’ ଓ ‘ତେର’ ଦିନରେ ଘରକୁ ଫେରିଲେ ଅଘଟଣ ହୁଏ ନାହିଁ ପରନ୍ତୁ ଭୁଲ୍‌, ତ୍ରୁଟି ଓ ଅସାବଧାନତା ଯୋଗୁଁ ସର୍ବନାଶ ହୁଏ ।

☆☆☆

 

ନାମକରଣ

 

ଦୀପ୍ତି କହିଲା–କେଜେ ମ’ ଜେଜେ, ଆମ ନୂଆ କୁନିପୁଅ ନାଁ କ’ଣ ଦିଆଯିବ ।

 

ଜେଜେ କହିଲେ–ବଢ଼ିଆ ନାଁ ଟି ଏ ଦବା । ଆଛା, ତୋ କୁନି ଭାଇ ତୋ ସାଙ୍ଗରେ ଖେଳିବ ବୁଲିବ ଓ ତୋ ସାଥିରେ ସ୍କୁଲକୁ ଯିବ । ତୁ କହୁନୁ ତା’ ନାଁ କ’ଣ ଦବା ?

 

ଭାବି ଭାବି ଥକି ଗଲିଣି ଯେ ହେଲେ ନୂଆ ନାଁ ମୋଟେ ମିଳୁନି । ସବୁଗୁଡ଼ାକ ପୁରୁଣା ଲାଗୁଛି । ସବୁତକ ଭଲ ନାଁ ‘ବସ୍‌’, ‘ଦୋକାନ’ ଓ ‘ଧାନ’ ର ଦିଆ ଯାଇଛି । ମୋ କୁନି ଭାଇ ପାଇଁ ଆଉ ଭଲ ନାଁ ବାକି ନାହିଁ ।

 

ଅସୁମାରି ନାଁ ମଧ୍ୟରୁ ନାଁ ଟିଏ ବାଛି ଦେଇ ଦବା ।

 

ନା, ନା ଜେଜେ, ମୋଟେ ନୁହେଁ । ଏଣୁ ତେଣୁ ପୁରୁଣା କାଳିଆ ନାଁ ମୋଟେ ଚଳିବନି । ନୂଆ ନାଁ ଦିଆଯିବ । ସେ ନାଁ ଯେପରି ଆଉ କାହାର ହୋଇ ନ ଥ‌ିବ । ‘ଗୋପ’, ‘ବୃନ୍ଦାବନ’ କି ‘ଗଙ୍ଗା’ ‘ଗୟା’ ଇତ୍ୟାଦି ନାଁ ମୋଟେ ଚଳିବନି ।

 

ଜଣକୁ ଚିହ୍ନିବା ଜାଣିବା ପାଇଁ ନାଁ ଦିଆଯାଏ । କିନ୍ତୁ ଅସଲ ପରିଚୟ ତା’ର ଗୁଣ ଗାରିମା ଓ ଯଶରୁ ମିଳେ । ନାଁ ରେ ଭଲ ମନ୍ଦ ନ ଥାଏ, ଥାଏ କରାମତିରେ ।

 

ତୁମେ ତାହାହେଲେ କ’ଣ କହୁଛ ଯେ ଆମ କୁନିପୁଅ ନାଁ ହାଡ଼ିଆ, ପାଣୁଆ, କି ହଗୁରା, ଶଙ୍କରା ଦବା । ବଡ଼ ହେଲେ ତା ସାଙ୍ଗ ସାଥି ତାକୁ ଚିଡ଼େଇବେନି ? ସେ ଅନ୍ୟ ପିଲାମାନଙ୍କ ପାଖରେ ନିଜକୁ ନ୍ୟୁନ ମନେ କରିବନି ?

 

ନା, କଦାପି ନୁହେଁ । ସେ ଯଦି ଶାନ୍ତ ସୁଧାର ହୋଇ ବହୁତ ପାଠ ପଢ଼ି ସର୍ବଗୁଣ ସମ୍ପନ୍ନ ହେବ ହେଲେ ସମସ୍ତେ ତାକୁ ଭଲ ତା ପାଇବେ ଓ ଆଦର କରିବେ । ଥଟ୍ଟା ପରିହାସ କରିବେ ନାହିଁ । ସୁନ୍ଦର ନାଁ ହୋଇ ସେ ଯଦି ପାଠ ନ ପଢ଼ି ମୂର୍ଖ ହେବ ତାହାହେଲେ ତାକୁ କେହି ଆଦର କରିବେ ନାହିଁ, ବରଂ ଘୃଣା କରିବେ । ତେଣୁ ଉତ୍ତମ କର୍ମ ଦ୍ଵାରା ହିଁ ମହତ୍ଵ ବୃଦ୍ଧି ପାଏ । ଯେଉଁ ମେହନ୍ତରଟି ଆମର ନାଳ ନର୍ଦ୍ଦମା ସଫା କରେ ତା ନାଁ ‘କୁବେର’ । ପୁରାଣରେ ବର୍ଣ୍ଣିତ ହୋଇଛି କୁବେର ହେଉଛନ୍ତି ଧନର ମାଲିକ । ଅଥଚ ତା ନାଁ କୁବେର ହୋଇ ମଧ୍ୟ ନିର୍ଦ୍ଧନ ଓ ସଫେଇ କାର୍ଯ୍ୟ କରୁଛି । ସେହିପରି ଯେଉଁ ଝିଅଟି ଆମର ବାସନ ମାଜେ ତା ନାଁ ‘ସୁନୟନା’ କିନ୍ତୁ ତା’ର ଦୁଇଟା ଯାକ ଆଖିକୁ ଭଲ ଦିଶେନା । ପ୍ରତି ରବିବାର ଦିନ ଯେଉଁ ଭିକାରୁଣୀ ଭିକ ମାଗି ଆସେ ତା ନାଁ ‘ରାଣୀ’ ।

 

ଆଛା କହିଲ ତେବେ, କେତେ ଜଣ କବି, ଲେଖକ, ବୈଜ୍ଞାନିକଙ୍କ ନାଁ ହାଡ଼ିଆ, ପାଣ୍ଡୁଆ, ଗୋବରା ଓ ଅରକ୍ଷିତ ।

 

ଜଣକ ନାଁ ହାଡ଼ିଆ ବୋଲି ସେ ଯେ ବୈଜ୍ଞାନିକ ନ ହେବ ଭାବିବା ଅନୁଚିତ । ହାଡ଼ିଆ ଯଦି ପାଠ ପଢ଼ି ନୂଆ ନୂଆ ଜିନିଷ ଉଦ୍ଭାବନ କରିବ ତାହାହେଲେ ତାକୁ ବୈଜ୍ଞାନିକ ନ କହି ଆଉ କ’ଣ କହିବେ । ନାଁ ଦ୍ଵାରା ଲୋକ ବଡ଼ ହୁଅନ୍ତି ନି କି ସାନ ହୁଅନ୍ତି ନି । ହାଡ଼ିଆ, ପାଣ୍ଡୁଆ ଓ ଅରକ୍ଷିତ ନାମଧାରୀ ଲୋକ ଅତୀତରେ ମହାନ୍‌ ପଣ୍ଡିତ, ବିଦ୍ଵାନ୍‌ ଥିଲେ, ଏବେ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଥ‌ିବେ ।

 

ସବୁ ବୁଝିଲି ଯେ ଜେଜେ, ହେଲେ ମୋ କୁନି ଭାଇର ସୁନ୍ଦରିଆ ନାଁ ଦିଆଗଲେ ସେ ଗର୍ବ ଅନୁଭବ କରିବ ଓ ନିଜ ନାଁ କୁ ସାର୍ଥକ କରିବା ପାଇଁ ପାଠ ପଢ଼ି ବଡ଼ ମଣିଷ ହେବ ।

 

ନାଁ ଦ୍ଵାରା ଲୋକ ଯଦି ବଡ଼ ହୋଇ ଯାଉଥାନ୍ତେ ତାହାହେଲେ କିଏ କାହିଁକି ପାଠ ପଢ଼ନ୍ତେ ? ଦୁନିଆଁରେ ଅନେକ ଲୋକଙ୍କ ନାଁ ମୋହନ ହୋଇଥିଲେ ମଧ୍ୟ ସେମାନେ ସମସ୍ତେ ମହାତ୍ମା ଗାନ୍ଧୀ ନୁହଁନ୍ତି । ଅସଂଖ୍ୟ ଲୋକଙ୍କ ନାମ ଜବାହର ହୋଇଥିଲେ ମଧ୍ୟ ସେମାନେ ପଣ୍ଡିତ ଜବାହରଲାଲଙ୍କ ପରି ପଣ୍ଡିତ ଓ ବିଚକ୍ଷଣ ରାଜନୀତିଜ୍ଞ ନୁହଁନ୍ତି । ହଜାର ହଜାର ଝିଅଙ୍କ ନାମ ଇନ୍ଦିରା ହୋଇଥିଲେ ମଧ୍ୟ ସେମାନେ ସମସ୍ତେ ଇନ୍ଦିରା ଗାନ୍ଧୀ ନୁହନ୍ତି । ଅନେକ ଲୋକଙ୍କ ନାମ ଉପେନ୍ଦ୍ର ହୋଇଥିଲେ ମଧ୍ୟ ସେମାନେ କବି ସମ୍ରାଟ ନୁହଁନ୍ତି । ଅଗଣିତ ଲୋକଙ୍କ ନାଁ ବିଜୁ ହୋଇଥିଲେ ସେମାନେ କେହି ଭୂମିପୁତ୍ର ବିଜୟାନନ୍ଦ ପଟ୍ଟନାୟକ ନୁହଁନ୍ତି । ତେଣୁ ନାଁ ଦ୍ଵାରା ନୁହେଁ, କାର୍ଯ୍ୟ ଦ୍ଵାରା ହିଁ ମଣିଷ ମହାନ୍‌ ହୋଇଥାଏ ।

☆☆☆

 

ଜିଅଁନ୍ତା ଦିଅଁ

 

ଗୋଟିଏ ଗାଁରେ ବୁଢ଼ାଟିଏ ବୁଢ଼ୀଟିଏ ରହୁଥିଲେ । ତାଙ୍କର ପିଲା ନ ଥିଲେ । ମୁଣ୍ଡ ଗୁଞ୍ଜିବାକୁ ବଖୁରିକିଆ ଚାଳଘର । ଦୁହେଁ କିନ୍ତୁ ବେଶ୍‌ ଖୁସିରେ ଥିଲେ । ଗାଁ ଲୋକେ ସେମାନଙ୍କୁ ଭାରି ଭଲ ପାଉଥିଲେ । ବୁଢ଼ାର ଦି’ ଗୁଣ୍ଠ ଜମି ଥିଲା ଯେ ଶେଷରେ ତାକୁ ଗାଁ ଠାକୁରାଣୀଙ୍କ ନାଁରେ କରିଦେଲା । ଗ୍ରାମବାସୀଙ୍କ ଭଲ ମନ୍ଦରେ ବୁଢ଼ାବୁଢ଼ୀ ଆଗତୁରା ପହଞ୍ଚି ବୁଝାଶୁଝା କରୁଥିଲେ । ଝିଅ ବାହାଘର କି ପୁଅ ବ୍ରତଘର ହେଲେ ସେମାନେ କଂସା ବାସନ ବିକି ଭାଙ୍ଗି ଗହଣାଗାଣ୍ଠି ଉପହାର ଦେଉଥିଲେ । ସବୁ ଦାନ ଧର୍ମ କଲା ପରେ ସେମାନଙ୍କର ଏବେ ମାଟି ହାଣ୍ଡି ମାଠିଆ ଛଡ଼ା ଆଉ କିଛି ନାହିଁ ।

 

ଗାଁ ଲୋକେ କାମଧନ୍ଦା ସାରି ସଞ୍ଜରେ ବୁଢ଼ା ପାଖରେ ବସି ଦୁଃଖ ସୁଖ ହୁଅନ୍ତି । ବୁଢ଼ା ସେମାନଙ୍କୁ ଉପଦେଶ ଦିଏ, ‘‘ସଦାବେଳେ ମହତ୍‌ କାମ କର କିନ୍ତୁ ଫଳରେ ଆଶା ରଖନା । ମଣିଷ ନିମିତ୍ତ ମାତ୍ର । ଇଛାମୟଙ୍କ ଇଛାରେ ଗଛରେ ପତ୍ର ହଲୁଛି । ସୂରୁଯ, ଚନ୍ଦ୍ର ଆତଯାତ ହେଉଛନ୍ତି । ଦୁଃଖୀରଙ୍କିଙ୍କୁ ସାହାଯ୍ୟ କର । ରୋଗୀ ବୈରାଗୀଙ୍କ ସେବା କର । ପରକୁ ଈର୍ଷା କରନା କି କାହାକୁ ସାନ ମଣନା’’ ।

 

ଦିନେ ବୁଢ଼ା ତା’ ଡିହକୁ ଲାଗି ଟାଙ୍ଗର ପଡ଼ିଆରେ ଗଛ ଲଗେଇବାକୁ ସ୍ଥିର କଲା । ବୁଢ଼ୀ ସେଥିରେ ହଁ ଭରିଲା । ବୁଢ଼ା ଗାତ ଖୋଳିଲା । ବୁଢ଼ୀ ଗୋବର, ଖତ, ଅଳିଆ ଗୋଟେଇ ଆଣି ଗାତ ଭରିଲା । ବୁଢ଼ା ଚାରା, ମଞ୍ଜି ଖୋଜି ଆଣି ପୋତିଲା । ବୁଢ଼ୀ ପାଣି ଦେଲା, ଜଗା ରଖା କଲା । ଦିନ କେଇଟାରେ ସାରା ପଡ଼ିଆ ଗଛମୟ ହୋଇଗଲା । ବୁଢ଼ାବୁଢ଼ୀଙ୍କୁ କେତେବେଳେ ଅସର ନ ଥାଏ । ସଦାବେଳେ କାମରେ ବ୍ୟସ୍ତ ।

 

ବାଟୋଇ ମାନେ ବେଳେବେଳେ ଦେଖି ସହି ନ ପାରି ଟାହି ଟାପରା କରନ୍ତି । ‘‘ଦେଖ ହୋ, ଦେଖ, ପାଗଳା ପାଗଳୀ ଦି’ଟାକୁ ଦେଖ’’ । ‘‘ହାତ ଗୋଡ଼ ଚଳୁନି କି ଉଠିବାକୁ, ବସିବାକୁ ବଳ ପାଉନି ତଥାପି ଗଛ ଲଗାରେ ହେଳା ନାହିଁ । ମରିବାକୁ ବସିଲେଣି ତଥାପି ଲୋଭ ଛାଡ଼ୁନି । ଭୋଗ କରିବାକୁ କିଏ ଅଛି ? ବୁଢ଼ାବୁଢ଼ୀଙ୍କର ଯଦି ପୁଅପାତି ଥାଆନ୍ତେ ତାହାହେଲେ ଏ ଖଣ୍ଡମଣ୍ଡଳ ରଖେଇ ଥୋଇ ଦିଅନ୍ତେନି’’ । ଗାଁ ପିଲାମାନେ ଥଟ୍ଟା ପରିହାସ କରି କହନ୍ତି, “ଆମ୍ବ, ପଣସ, ସପେଟା, ବେଲ କେବେ ଫଳିବ ମ’ ଅଜା । ଖାଇ ସାରିଲେ ଗାତକୁ ଯିବ ଟି’’ ? ଆରାମ ନ କରି ଖଟୁଛ କାହିଁକି ? ଗଛରେ ଫଳ ହେଲାବେଳେକୁ ତୁମେ ଏ ସଂସାରରେ ଥିବଟି ? ସେମାନଙ୍କ କଥାକୁ ବୁଢ଼ାବୁଢ଼ୀ ମୋଟେ କାନ ଦିଅନ୍ତିନି ।

 

ଗାଁ ଲୋକେ ମଧ୍ୟ ଅନେକ ବାର ବାରଣ କରି କହିଲେ, ‘‘ତମେ ଆସି ବୁଢ଼ାବୁଢ଼ୀ ହୋଇ ମରିବାକୁ ବସିଲଣି । ଚୁପ୍‌ଚାପ୍‌ ନ ବସି ତୁଛାଟାରେ ଧନ୍ଦି ହେଉଛ କାହିଁକି ? ତୁମର କି ଅସୁବିଧା ହେଉଛି ଯେ ଏ ବୟସରେ ହାଡ଼ଭଙ୍ଗା ପରିଶ୍ରମ କରୁଛ’’ ।

 

ବୁଢ଼ା ସେମାନଙ୍କୁ କୁହେ, ଆରେ ବାବୁ, ଆମର ତ ଗୋଡ଼ ହାତ ଚଳୁଛି । ଗୋଡ଼ ହାତ ବାନ୍ଧି କେତେ ବସିବୁ । ଗଛ ଲଗାଉଛୁ । ତାହା କ’ଣ ଦିନେନା ଦିନେ ତୁମମାନଙ୍କ କାମରେ ଲାଗିବନି ? ଆମ ବେଳକାଳ ଆସି ସରିବାକୁ ବସିଲା । କେତେବେଳେ କୋଉ କଥା । ପିଲାଏ, ଆମେ ଆମ ପାଇଁ ଗଛ ଲଗାଉ ନାହୁଁ । ତୁମମାନଙ୍କ ପାଇଁ । ତୁମ ପୁଅ, ନାତିଙ୍କ ପାଇଁ । ତୁମେମାନେ ଯେଉଁ ଗଛ କାଟି ଘର କି ଆସବାବପତ୍ର କରୁଛ, ଜାଳୁଛ ଓ ଫଳ ଖାଉଛ ତାହା କ’ଣ ତୁମେମାନେ ଲଗେଇଥିଲ ? କିଏ ଲଗେଇଥିଲା ବୋଲି ତୁମେମାନେ ସିନା ଭୋଗ କରୁଛ । ପିଲାଏ, ମୋ ପିଲାବେଳେ ଏ ଗାଁ ରେ ଯେତେ ଲୋକ ଥିଲେ ତାର ଶହେ ଗୁଣା ଗଛ ଥିଲା ଓ ଯେଉଁ ପଡ଼ିଆରେ ମୁଁ ଗଛ ଲଗାଉଛି ସେ ଖଣ୍ଡକ ଜଙ୍ଗଲ ଥିଲା । ଆଜି ତା’ର ସନ୍ତକ ଦେଖ‌ିବାକୁ ପାଉଛ ? ସେସବୁ କାଟି ଘର କଲେ, ଇଟା ପୋଡ଼ିଲେ ପୁଣି ବିକ୍ରିକରି ନାଟ ତାମସା କଲେ କିନ୍ତୁ କେହି ଗୋଟିଏ ଗଛ ଲଗାଇଲେ ନାହିଁ । ଫଳରେ ସବୁ ଉଭେଇଗଲା । ଆଜି ଆମ୍ବ କଷିଟିଏ, ବରକୋଳି ଟାଏ ଦେଖିବାକୁ ସାତସପନ ।

 

ସେତେବେଳେ ଏତେ ଗଛଲତା ଥାଇବି ଧନୀ, ଜମିଦାରମାନେ ଆମ୍ବ, ପଣସ ତୋଟା କରୁଥିଲେ କାହିଁକି ? ସେମାନେ କ’ଣ ନିର୍ବୁଦ୍ଧିଆ ଥିଲେ, ତା ନୁହେଁ । ସେମାନେ ଗଛର ମହାତ୍ମ୍ୟ ବୁଝିଥିଲେ, ଜାଣିଥିଲେ । ଏବେ ଗାଁରେ ଗଛଟିଏ ନ ଥ‌ିବାରୁ କି ହିନସ୍ତା ହେଉଛ ଜାଣୁଥ‌ିବ ।

 

ମୁଁ ଯେଉଁ ଗଛ ଲଗାଉଛି ସେଗୁଡ଼ିକ ବଡ଼ ହେଲେ ତୁମ ମାନଙ୍କର କ’ଣ କିଛି ଉପକାରରେ ଆସିବ ନାହିଁ ? କିଛି ନ ହେଲେ ଶୁଖିଲା ପତ୍ର ଜାଳି ଧାନ ଉଁଷେଇବ, ଶୁଖିଲା ଡାଳ ପତ୍ର ଜାଳ ରୋଷେଇବାସ କରିବ । ରାତିବିକାଳି ମୁର୍ଦାର ପୋଡ଼ିବା ପାଇଁ ହାତ ପାଆନ୍ତାରେ କାଠ ଖଣ୍ଡେ ପାଇ ପାରିବେ । ବୁଝିଲ ପିଲାଏ, ଦଶଟା ମଣିଷ ଜୀବନ କାଳ ମଧ୍ୟରେ ଯାହା କରି ନ ପାରିବ ଗୋଟିଏ ଗଛ ତାହା କରି ପାରିବ । ତେଣୁ ଗଛକୁ କେବେ ଛୋଟ ମଣିବ ନାହିଁ । ମଣିଷଠାରୁ ଟିକିଏ ସ୍ନେହ ଆଦର ପାଇଲେ ସେ ହଜାର ଗୁଣ କରି ଫେରାଏ ।

 

ଗାଁ ଲୋକେ ଭଲରେ ମନ୍ଦରେ ଗାଁର ଜମିଦାରଙ୍କ ପାଖକୁ ନ ଯାଇ ବୁଢ଼ାବୁଢ଼ୀଙ୍କ ପାଖକୁ ଧାଉଁ ଥିବାରୁ ତାଙ୍କର ଭୀଷଣ ରାଗ । ସେ ରାଗରେ ରକ୍ତ ଚାଉଳ ଚୋବେଇ ଚିନ୍ତା ମନେ ମନେ ଭାବନ୍ତି, ‘‘ବୁଢ଼ାବୁଢ଼ୀଙ୍କଠୁ କି ମହୁ ଝରୁଛି କେଜାଣି ଲୋକଗୁଡା ପିମ୍ପୁଡ଼ି ପରି ହାଉଯାଉ ହେଉଛନ୍ତି ଅଥଚ ମୋ ଦୁଆରେ ବିଲେଇ ପିଲାଟେ ମଧ୍ୟ ନାଟ କରୁନି । ସଦାବେଳେ ଶୂନ୍‌ଶାନ୍‌, ଖାଁ ଖାଁ । ମୁଁ ଯଦି ସେମାନଙ୍କ ଠାରୁ ଜମି ଛଡ଼େଇ ଆଣିବି ତାହାହେଲେ ଗାଁଟା ସାରା ଠକ୍‌ ଠକ୍‌ ହୋଇ ମରିଯିବେ । ଏ କଥା ବୋଧହୁଏ ସେମାନେ ଭୁଲି ଯାଇଛନ୍ତି । ସବୁ ଜାଣି ମଧ୍ୟ ସେମାନେ ବୋପାର ଖାଇ ମଉସାର ଗାଉଛନ୍ତି” ?

 

ଜମିଦାରଙ୍କର ବୁଢ଼ାବୁଢ଼ୀଙ୍କ ଉପରେ ଯେତିକି ରାଗ ନୁହେଁ ତାଠାରୁ ଅଧ‌ିକ ରାଗ ନମକହାରାମ ଗ୍ରାମବାସୀଙ୍କ ଉପରେ । ବୁଢ଼ାବୁଢ଼ୀ ଯେଉଁଦିନଠୁ ପଡ଼ିଆରେ ଗଛ ଲଗାଇବା ଆରମ୍ଭ କଲେଣି ସେହି ଦିନଠୁ ସେମାନଙ୍କ ପ୍ରତି ଜମିଦାରଙ୍କ ରାଗ ବଢ଼ିଗଲା । କାରଣ ପଡ଼ିଆଟିକୁ ସେ ନିଜ ନାଁରେ କରେଇ ନେବାକୁ ଚାହୁଁଥିଲେ ।

 

ଦିନେ ଜମିଦାର ଗାଁର ସବୁ ଲୋକଙ୍କୁ ଡକେଇ କହିଲେ, ତୁମମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ଡିହ ବକଟେ ନ ଥିବାରୁ ମୋ ଜାଗାରେ ଘର କରି ରହିଛ । ଚାଷ କରିବାକୁ ଜମି ଖଣ୍ଡେ ନାହିଁ ଯେ ମୋରି ଜମିରେ ଚାଷ କରି ପେଟ ପୋଷୁଛ । ତୁମମାନଙ୍କର ଏତେ ବହପ ଯେ, ମତେ ନ ପଚାରି ବୁଢ଼ାବୁଢ଼ୀଙ୍କୁ ଖାଇବାକୁ ଦଉଚ । ହଉ ହେଲା, ଯଦି ବା ଦୟା ଦେଖେଇ ଦେଉଛ ସେମାନ କ’ଣ ତାହା ବୁଝୁଛନ୍ତି । ସେମାନଙ୍କର ଗର୍ବ ଯେ ‘‘ପେଟକୁ ଦାନା ଦେବା ଛାର ମଣିଷ ପକ୍ଷେ ଅସମ୍ଭବ’’। ଦଉଛି ନେଉଛି ଜଣେ—ଭଗବାନ । ତୁମେ ଉପକାର କରୁଛ ଅଥଚ ନାଁ ନେଉଛନ୍ତି ଭଗବାନ । ତେଣୁ ତୁମେମାନେ ଆଜିଠାରୁ ସେମାନଙ୍କୁ ଖାଇବା ପିଇବା ଦେବା ବନ୍ଦ କରିଦିଅ । ଦେଖିବା, ଭଗବାନ ସେମାନଙ୍କୁ କିପରି ଖାଇବାକୁ ଦେଉଛନ୍ତି ? ଜାଣି ଶୁଣି ଖାଇବାକୁ ନ ଦବାଟା ଅନ୍ୟାୟ ବିଚାରୁ ଥିଲେ ମଧ୍ୟ ଜମିଦାରଙ୍କୁ ମୁହଁ ଖୋଲି କେହି କହିବାକୁ ସାହସ କଲେ ନାହିଁ । ଜମିଦାରଙ୍କ ନିଷ୍ପତ୍ତି ମାନି ନେଇ ଘରକୁ ଫେରିଲେ ।

 

ସକାଳ ପହରୁ ବୁଢ଼ାବୁଢ଼ୀ ନିଜ ନିଜ କାମରେ ଏପରି ବ୍ୟସ୍ତ ଥିଲେ ଯେ ଖାଇବା ପିଇବାକୁ ମଧ୍ୟ ଭୁଲି ଯାଇଥିଲେ । ଦଶ ବାରବର୍ଷର ପିଲାଟିଏ ପହଞ୍ଚି କହିଲା, ଅଜା, ତୁମ ପାଇଁ ପାଚିଲା କମଳା, ବରକୋଳି, ସପେଟା ଆଣି ଆସିଛି । ଖାଇଲା ପରେ ସୁଆଦ ଜାଣିବ । ସବୁଗୁଡ଼ିକ ବାହାରୁ ଆସିଛି । ସିଲହଟ୍‌ରୁ କମଳା । କାଶୀରୁ ବରକୋଳି ଓ କଲିକତାରୁ ସପେଟା ।

 

ବୁଢ଼ା କହିଲା, ତୁ’ ଏତେ ସରାଗରେ ଯେତେବେଳେ ଆଣିଛୁ ନିଶ୍ଚେ ଖାଇବି । ତୁ’ ଏତେ ଗୁଡ଼ାଏ ଫଳ କେଉଁଠୁ ଆଣିଲୁ ?

 

ତୁମେ ସେଥିରୁ କ’ଣ ପାଇବ । ମେତେ ଜଣେ ଖାଇବାକୁ ଦେଇଥିଲା । ମୁଁ ସେଗୁଡ଼ିକ ତୁମ ପାଇଁ ନେଇ ଆସିଛି । ଡେରି ନ କରି ଖାଅ । କୋଲାଏ କମଳା ବୁଢ଼ା ପାଟିରେ ଗୁଞ୍ଜିଦେଇ କହିଲା, ଭାରି ଭଲ ନୁହେଁ, ଅଜା । ମନ ଭରି ଖାଅ । ମଞ୍ଜିଗୁଡ଼ିକ ପୋତିଦେବ ।

 

ଫଳଗୁଡାକ ଅମୃତ ପରି ଲାଗୁଛି । ମୁଁ ଆଗରୁ କେବେ ଏପରି ଫଳ ଖାଇ ନ ଥିଲି ପୁଅ-। ବସିଲୁ କାହିଁକି, ତୁ ମଧ୍ୟ ଖା’ । ତୋ ନାଁ, କାହା ପୁଅ, କିଛି ତ କହିଲୁନି ।

 

ମୋ ପେଟକୁ ଦୁନିଆ ଯାକର ଫଳ ନିଅଣ୍ଟ । ଏତିକି କୋଉଥିକୁ ପାଇବ ? ମୋ ନାଁରୁ କଣ ପାଇବ ? ମୋର ବାପା ମା’ ଥିଲେ ସିନା ମୋ ନାଁ ଦେଇଥାନ୍ତେ । ମୋ ନାଁ ଅଛି ଯେ କହିବି । ଯେ ଯେଉଁ ନାଁରେ ଡାକେ ମୁଁ ଶୁଣେ । ତୁମେ କାଳିଆ ବୋଲି ଡାକୁନା । ମୁଁ ଶୁଣିବି । ହଉ ଅଜା, ତୁମେ ଥାଅ, ମୁଁ ଯାଉଛି । ମୋର ବହୁତ କାମ ଅଛି ।

 

ବୁଢ଼ାବୁଢ଼ୀ ଫଳ ଖାଇ ଗଛତଳେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ସଞ୍ଜରେ ଘରକୁ ଫେରି ଘରସାରା ଦରାଣ୍ଡିଗଲେ । ଡାଲି, ଚାଉଳ କିଛି ପାଇଲେନି । ଦୁଆରେ ଜଣେ କାହାକୁ ନ ଦେଖି ବୁଢ଼ା ଚିନ୍ତା କଲା, ବୋଧହୁଏ ଆମର ଭୁଲଭଟକା କିଛି ହୋଇଯାଇଛି ଯେଉଁଥିପାଇଁ ଗାଁବାଲାଏ ଯିବା ଆସିବା ବନ୍ଦ କରି ଦେଇଛନ୍ତି । ଦୁହେଁ ଦୁଃଖରେ ଭାଙ୍ଗି ପଡ଼ି କବାଟ ବନ୍ଦ କରି ଶୋଇଲେ । ହଠାତ୍‌ ଦୁଆର ଖଟ୍‌ ଖଟ୍‌ ହେଲାରୁ ବୁଢ଼ା କବାଟ ଖୋଲି ଦେଖେ ତ ଲୋକଟିଏ ଓଦା ସରସର ହୋଇ ପିଠିରେ ବୋକଚା ପକେଇ ଠିଆ ହୋଇଛି ।

 

ଏତେ ରାତିରେ ତୁମେ କିଏ ପୁଅ ?

 

ଲୋକଟି କହିଲା–ମଉସା, ମୁଁ ସୁଦାମ ଭଣ୍ଡାରି, ମିଠେଇ ହାଣ୍ଡିଧରି ଜମିଦାରଙ୍କ ଝିଅ ଘରକୁ ଯାଉଥିଲି । ଭୀଷଣ ବର୍ଷା ଯୋଗୁ ନଈ ପାରିହବାରେ ଡେରି ହେଲା । ପୁଣି ନଈ ବନ୍ଧରେ ଆସୁ ଆସୁ ଗୋଡ଼ ଖସିଗଲା ଯେ ମିଠେଇ ହାଣ୍ଡି ଭାଙ୍ଗିଗଲା । ଅନ୍ଧାର ରାତିରେ ଓଦାପଟା ହୋଇ ଯାଇଥାନ୍ତି କ’ଣ ? ରାତିଟା ଏଇଠି କଟେଇ ଦେଇ ସକାଳେ ଗାଁକୁ ଫେରିଯିବି ।

 

ହଇହୋ ଭଣ୍ଡାରି ପୁଅ, ସଞ୍ଜ ପହରେ ତ ବର୍ଷା ହେଇନି, ତୁମେ ଓଦାପଟା ହୋଇ ମିଠେଇ ହାଣ୍ଡି ଭାଙ୍ଗିଲ କିପରି ?

 

ହଁ ହେ ମଉସା, ମୁଁ ବି ଆଶ୍ଚର୍ଯ୍ୟ । ନଈ ସେ ପାରିରେ ଭୀଷଣ ବର୍ଷା ଆଉ ତୁମର ଏଠି ଶୁଖିଲା ଠାଉ ଠାଉ । ଆଚମ୍ବିତ କଥା ।

 

ହଉ ପୁଅ, ଓଦା ଲୁଗା ପଟା ବଦଳି ପକା ନ ହେଲେ ସର୍ଦ୍ଦି ଜର ହବ । ଅବେଳାରେ ଆସି ପହଞ୍ଚିଲୁଯେ, ଘରେ କିଛି ଖାଇବାକୁ ନାହିଁ । ଆମେ ଦି’ ପହରେ ଖାଇଥିଲୁ ଯେ ଏ ଯାଏଁ ଭୋକ ନାହିଁ । ରାତିଟାରେ କିଛି ନ ଖାଇ ଓପାସ ରହିବୁ କେମିତି ? ଅଧର୍ମ ହବ ।

 

ମଉସା, ତୁମେ ବୃଥାରେ ବ୍ୟସ୍ତ ହେଉଛ । ମୋ ପାଖରେ ପଚାଶ ଲୋକ ଖାଇଲା ଭଳି ଲଡ଼ୁ ଅଛି । ଲଡ଼ୁ ଖାଇ ରାତି କଟେଇ ଦବା ।

 

ଭଲ କଥା ନୁହେଁ ପୁଅ । ଝିଅ ଘରକୁ ଜମିଦାର ଲଡ଼ୁ ପଠାଉଛନ୍ତି, ସେଥିରୁ ଖାଇବା କେମିତି ? ଅନାକରା କଥା ହବ ।

 

ମଉସା, ତୁମ ଜମିଦାରଙ୍କ ପରି ଆମ ଜମିଦାର ନୁହନ୍ତି ମ’ । ବାବୁ ଭାରି ଭଲ ଲୋକ । ସେ କିଛି ଭାବିବେ ନାହିଁ । ତା ଛଡ଼ା ଲଡ଼ୁ ପାଣିରେ ଭିଜି ଯାଇଛି । ସକାଳୁ ଖରାପ ହୋଇଯାଇପାରେ । ଆମେ ପେଟ ଭରି ଖାଇବାନି କାହିଁକି ? ସୁଦାମ ଲଡ଼ୁ ବାହାର କଲା । ବାସନାରେ ଘର ମହକି ଉଠିଲା । ସୁଦାମ ବାଧ୍ୟ କରି ବୁଢ଼ାବୁଢ଼ୀଙ୍କୁ ଲଡ଼ୁ ଖୁଆଇଲା ।

 

ଜମିଦାରଙ୍କ ସହଧର୍ମିଣୀ ପରମ ଦୟାଶୀଳା ଥିଲେ । ସେ ସ୍ଵାମୀଙ୍କୁ କହିଲେ, ବୁଢ଼ାବୁଢ଼ୀ ତୁମର କି ଅନିଷ୍ଟ କରୁଛନ୍ତି ଯେ, ତୁମେ ସେମାନଙ୍କ ପଛରେ ଲାଗିଛ । ଖରାଦିନଟାରେ ସେମାନଙ୍କୁ ଉପାସ ରଖି କି ସୁଖ ପାଉଛି ? ସେମାନେ ଭୁଲରେ ସୁଦ୍ଧା ତୁମର ଅନିଷ୍ଟ ଚିନ୍ତା କରନ୍ତି କି ? ସେମାନଙ୍କ ପ୍ରତି ଅନ୍ୟାୟ କଲେ ଭଗବାନ ସହିବେ ନାହିଁ । ତୁମେ କାଲି ସକାଳୁ ସେମାନଙ୍କ ପାଖରେ କ୍ଷମା ମାଗ । ଜମିଦାର ଚିତ୍କାର କରି ଉଠିଲେ, ମୋତେ ନୀତିଶିକ୍ଷା ଦେବା ଦରକାର ନାହିଁ ।

 

ଗାଁରେ ଦିନସାରା କାହାଘରେ ଚୁଲି ଜଳିନି କି କାହାରି ପେଟକୁ ଦାନା ଯାଇନି । କାହାରି ଆଖିକୁ ନିଦ ନାହିଁ କି ଭୋକ ଶୋଷ ନାହିଁ । ନିଜକୁ ଜଣେ ଜଣେ ଅପରାଧୀ ମନେ କରି ବ୍ୟାକୁଳ ହେଉଥାନ୍ତି ।

 

ବଡ଼ିଭୋରୁ ଜମିଦାର ଲୋକ ପଠାଇ ବୁଢ଼ାବୁଢ଼ୀଙ୍କ ଖବର ବୁଝି ଗାଁ ଲୋକଙ୍କୁ ଡକାଇ ସମସ୍ତ ବୃତ୍ତାନ୍ତ କହିଲେ ଏବଂ ପୁନର୍ବାର ସାତ ଦିନ ଯାଏ ବୁଢ଼ାବୁଢ଼ୀଙ୍କୁ ଖାଇବାକୁ ନ ଦେବା ପାଇଁ ନିର୍ଦ୍ଦେଶ ଦେଲେ । “ସବୁଦିନେ ମିଠେଇ ହାଣ୍ଡି ଭାଙ୍ଗିବନି କି ସେମାନେ ମିଠେଇ ଖାଇ ରହିବେନି, ଦେଖିବା ସେମାନଙ୍କର ଜୁ’ କେତେ’’ । ଜମିଦାରଙ୍କ ନିଷ୍ଠୁର ନିଷ୍ପତ୍ତିରେ ଗ୍ରାମବାସୀ ବିସ୍ମିତ ହେଲେ କିନ୍ତୁ ମୁହଁ ଖୋଲି ପ୍ରତିବାଦ କରିବାକୁ ସାହାସ କଲେ ନାହିଁ ।

 

ସକାଳୁ କାମଧନ୍ଦା ସାରି ବୁଢ଼ାବୁଢ଼ୀ କୋଡ଼ି ଝୁଡ଼ି ଧରି ବାହାରିଲାବେଳେ ଦୁଆରେ ଗାଡ଼ି ଅଟକିଲା ଓ ସେଥିରୁ ଧୋବ ଧାଉଳିଆ ବାବୁ କେତେଜଣ ଓହ୍ଲେଇ ବୁଢ଼ାକୁ ଦଣ୍ଡବତ କରି କହିଲେ, ମଉସା, ଆମେ ସରକାରୀ ଲୋକ । ଆପଣ ଏକାକୀ ସୁନ୍ଦର ଜଙ୍ଗଲଟିଏ ସୃଷ୍ଟି କରି ପାରିଥିବାରୁ ଆପଣଙ୍କୁ ସରକାର ଆର୍ଥିକ ସାହାଯ୍ୟ ଦବାକୁ ସ୍ଥିର କରିଛନ୍ତି । ଆପଣଙ୍କୁ ଟଙ୍କା ଦେବାକୁ ଆସିଛୁ ।

 

ବୁଢ଼ା କହିଲା–ହଇହୋ ବାବୁମାନେ, କି ଜଙ୍ଗଲ, କି ଟଙ୍କା । ମୁଁ ତ କିଛି ବୁଝିପାରୁନାହିଁ । ଗଛ କେତୁଟା ଲଗେଇ ଦେଇ କୋଉ ଏବେ ବଡ଼ କାମଟାଏ କରି ଦେଇଛି ଯେ ସରକାର ଖୁସିରେ ଟଙ୍କା ଦେଉଛନ୍ତି ? ସରକାରୀ ଜମିଟା ପଡ଼ିଆ ପଡ଼ିଥିଲା, ଆମ ବୁଢ଼ାବୁଢ଼ୀଙ୍କର ମଧ୍ୟ କିଛି କାମ ଧନ୍ଦା ନ ଥିଲା ତେଣୁ ଗଛ ଲଗେଇବାରେ ଲାଗିଗଲୁ । ଆମର ସମୟ ଆନନ୍ଦରେ କଟି ଯାଉଛି ଓ ଗଛଗୁଡ଼ାକ ବି ବଢ଼ିବାରେ ଲାଗିଛି । ଆମେ ପଇସାଟିଏ ଖର୍ଚ୍ଚ କରି ନାହୁଁ । ବୁଝିଲ ନା ବାବୁମାନେ, ଏ ପିମ୍ପେଇ କାଠି ବୁଢ଼ୀ ଖଣ୍ଡକର ଅବଦାନ ମୋଠୁ ବେଶି । ପାଣି ଦେବା, ଜଗାରଖା କରିବା ତା’ର ନିତିଦିନିଆ କାମ । ଟଙ୍କା ଦରକାର ନାହିଁ । ତୁମେମାନେ ଯାଅ । ସେ ଟଙ୍କା ମହତ କାମରେ ଲଗାଅ ।

 

ମଉସା, ତୁମେ ମୋଟେ ବୁଝୁନା । ଗଛଗୁଡ଼ା ସିନା ତୁମେ ଲଗେଇ ଦେଲ ସେଥିରେ ଖତ, ସାର, ପାଣି ନ ଦେଲେ କି ଜଗା ରଖା ନ କଲେ ସେଗୁଡ଼ା ରହିବ କି ? ଏ ସବୁ କାର୍ଯ୍ୟ ତୁମଦ୍ୱାରା ସବୁଦିନ ହୋଇପାରିବ ନାହିଁ । ଏଥିପାଇଁ ଟଙ୍କା ଦରକାର । ପାଖରେ ଟଙ୍କା ଥିଲେ ଏସବୁ କାମ ହୋଇପାରିବ ନଚେତ୍‌ ଜଙ୍ଗଲ ଉଜୁଡ଼ି ଯିବ ।

 

ହଉ, ଯଦି କହୁଛ, ତାହାହେଲେ ଟଙ୍କା ମୁଁ କାହିଁକି ରଖିବି, ଗାଁ ବାଲାଙ୍କୁ ଦିଅ । ସେମାନେ ଟଙ୍କା ରଖନ୍ତୁ ଓ ଜଙ୍ଗଲ ଦାୟିତ୍ଵ ମଧ୍ୟ ବୁଝନ୍ତୁ ।

 

ଦୁଇଜଣ ଲୋକ ଫଳ ଝୁଡ଼ିଏ ଧରି ବୁଢ଼ା ଆଗରେ ରଖି କହିଲେ, ମଉସା, ଗଛ ଲଗାଇଲାବେଳେ ତୁମେ ଅନେକ ଥଟ୍ଟା, ପରିହାସ ସହିଛ । ତୁମେ ଯେତେ ପ୍ରକାର ଫଳ ଗଛ ଲଗେଇଛ ଆମେ ସେତେ ପ୍ରକାର ପାଚିଲା ଫଳ ଆଣିଛୁ । ତୁମେ ଲଗେଇ ଥ‌ିବା ଗଛରେ ଫଳ ଫଳିଲେ ଆମେ ଖାଇବୁ କିନ୍ତୁ ତୁମେ ଆମମାନଙ୍କ ଆଗରୁ ଏ ଫଳତକ ଖାଅ ।

 

ବୁଢ଼ାବୁଢ଼ୀ ଜମିଦାରଙ୍କୁ ଭେଟି କହିଲେ, ହଜୁର, ଆମ ଗାଁ ଜଙ୍ଗଲ ଦେଖି ସରକାର ଟଙ୍କା ପଠେଇଛନ୍ତି ଓ ପିଲାଏ ଫଳ ଝୁଡ଼ିଏ ଆଣିଛନ୍ତି । ଆପଣ ଗାଁର ମୁଖିଆ । ଆପଣ ଏ ସବୁ ରଖନ୍ତୁ । ଗାଁ କୋଠ ଫଣ୍ଡରେ ଟଙ୍କା ରଖି ଦିଅନ୍ତୁ ଓ ଫଳତକ ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଗ୍ରାମବାସୀଙ୍କ ସହଯୋଗ ମିଳିନଥିଲେ ଆମେ ଦୁହେଁ କ’ଣ ଏ କାମ କରିପାରିଥାନ୍ତୁ । ଆମେ କେତେବେଳେ ନାହିଁ କେତେବେଳେ ଝଡ଼ି ପଡ଼ିବୁ ତାର ଠିକଣା ନାହିଁ, ହେଲେ ଜଙ୍ଗଲଟା ତ ସବୁ ଦିନ ରହିବ । ଜଙ୍ଗଲ ଆମ ଗାଁର, ଏହାର ରକ୍ଷଣାବେକ୍ଷଣ ମଧ୍ୟ ଗ୍ରାମବାସୀଙ୍କର ।

 

ଜମିଦାରଙ୍କ ଆଖି ଛଳଛଳ ହୋଇଗଲା । ବୁଢ଼ାବୁଢ଼ୀଙ୍କ ପାଦତଳେ ପଡ଼ି କହିଲେ, ମତେ କ୍ଷମାକର । ମୁଁ ଆଜିଯାଏ ତୁମକୁ ଚିହ୍ନି ପାରି ନ ଥିଲି । ତୁମେ ମଣିଷ ନୁହଁ; ଜିଅଁନ୍ତା ଦିଅଁ ।

Image